https://youtu.be/nEoU7Ghr5HY
“ସାମ୍ବାଦିକ ମାନଙ୍କ ସୁରକ୍ଷା , ସ୍ୱାସ୍ଥ୍ୟବୀମା ଏବଂ ପେନସନ ବ୍ୟବସ୍ଥା ପାଇଁ ଆମେ ଚେଷ୍ଟିତ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ “ଓଡ଼ିଶା ସାମ୍ବାଦିକ ୟୁନିଅନ”ର ରାଜ୍ୟ ସ୍ତରୀୟ ମହା ସମାବେଶରେ ରାଜ୍ୟ ଆଦିବାସୀ ଉନ୍ନୟନ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ରାଜ୍ୟ ଖଣି , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୁଷଣ ଜେନା ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କ ଯେଉଁ ଦୀର୍ଘ ଦିନର ଦାବୀ ରହିଛି , ସୁରକ୍ଷା , ସ୍ୱାସ୍ଥ୍ୟବୀମା ଏବଂ ପେନସନ ସେ ଦିଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରେ ଉପସ୍ଥାପନ ଓ ଆଲୋଚନା କରି ତାର ସମାଧାନ ପାଇଁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ।
ସ୍ଥାନୀୟ ୟୁନିଅନ ବ୍ୟାଙ୍କ୍ ଆରସେଟି ହଲ ଠାରେ ଓଡିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସ୍ତରୀୟ ମହାସମାବେଶ ତଥା ଗଜପତି ଜିଲ୍ଲା ସାମ୍ବାଦିକ ୟୁନିଅନର ପ୍ରଥମ ଦ୍ଵିବାର୍ଷିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ସଭାପତିତ୍ଵ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ସାମ୍ବାଦିକ ମାନଙ୍କ ୩ ଟି ନ୍ୟାଯ୍ୟ ଦାବୀ ସାମ୍ବାଦିକଙ୍କ ସୁରକ୍ଷାରେ ଆକ୍ଟ ଆଣିବା ସହ ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ ଟଙ୍କା କରିବା ଏବଂ ୨୦ ହଜାର ଟଙ୍କା ପେନସନ ଦେବା ଉପରେ କହିଥିଲେ।
ରାଜ୍ୟ ଆଦିବାସୀ ଉନ୍ନୟନ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଏବଂ ରାଜ୍ୟ ଖଣି , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକର ନିରପେକ୍ଷ ସମ୍ବାଦ ପରିବେଷଣ ହେଉଛି ତାର ସ୍ୱାଭିମାନ। ସାମ୍ବାଦିକ ମାନେ ବିଭିନ୍ନ ସମୟରେ ବିପତ୍ତିକ ପରିସ୍ଥିତିରେ କାର୍ଯ୍ୟକରି ସମ୍ବାଦ ସଂଗ୍ରହ କରୁଛନ୍ତି ଏବଂ ସମାଜ ଓ ସରକାରଙ୍କୁ ସୁଧାରିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକ ମାନେ ସବୁବେଳେ ସତ୍ୟ ଓ ନିରପେକ୍ଷ ସହ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରି ଆସୁଛନ୍ତି। ସେମାନଙ୍କ ଅନେକ ସମସ୍ୟା ଓ ଦାବୀ ରହିଛି ଯାହାକି:- ପେନସନ , ସୁରକ୍ଷା ଓ ସ୍ୱାସ୍ଥ୍ୟବୀମା। ଗଣ ମାଧ୍ୟମର ଭୂମିକାରେ ଥିବା ସାମ୍ବାଦିକ ଭାଇ ମାନଙ୍କ ସବୁକଥା ବୁଝିବା ସରକାରଙ୍କ ଦାୟିତ୍ଵ। ତେଣୁ ସାମ୍ବାଦିକ ମାନଙ୍କ ଏହି ୩ ଟି ଦାବିକୁ ନେଇ ଆମେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଠାରେ ଏହି ଦାବୀ ଉପସ୍ଥାପନ କରି ଆଲୋଚନା କରିବୁ ଏବଂ ଆଗାମୀ ଦିନରେ ଏହି ଦାବୀ ଗୁଡ଼ିକର କିଭଳି ସମାଧାନ ହେବ , ସେଥିପାଇଁ ଆମେ ଚେଷ୍ଠା କରିବୁ ବୋଲି କହିଥିଲେ।
ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇ ନିରପେକ୍ଷ ସାମ୍ବାଦିକତା ପାଇଁ ଯାହା ଦରକାର , ସେ ସମ୍ପର୍କରେ ମୁଁ କୋର୍ଟ କମିଟି ସହ କଥାବାର୍ତ୍ତା ହୋଇ ଏହାକୁ ଠିକ୍ ଭାବେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଠାରେ ଉପସ୍ଥାପନା କରିବି ବୋଲି କହିଥିଲେ ଏବଂ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସାମ୍ବାଦିକର ଯେଉଁ ମହତ୍ତ୍ଵ ରହିଛି , ସେଥିରେ ସେମାନଙ୍କ ଯେଉଁ ଦାୟିତ୍ୱବୋଧ ଓ ଗୁଣାତ୍ମକ ମାନ ରହିଛି , ତାହା ନିଶ୍ଚିତ ଭାବେ ସମ୍ବାଦ ପରିବେଷଣ ରେ ପ୍ରତିଫଳିତ ହୋଇଥାଏ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ , ୟୁନିଅନର ରାଜ୍ୟ ସମ୍ପାଦକ ଶ୍ରୀ କମ୍ବୁପାଣି ମିଶ୍ର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଡିଏସପି ଡ଼ଃ ଚନ୍ଦ୍ର ଶେଖର ହୋତା , ଜିଲ୍ଲା ୟୁନିଅନ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ଉପସଭାପତି ଶ୍ରୀ କେ.ରାମସ୍ୱାମୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ମଞ୍ଚାସିନ ଅତିଥି ମାନଙ୍କ ଗହଣରେ ମନ୍ତ୍ରୀ ଦ୍ବୟ ମହା ସମାବେଶର ସାମ୍ବାଦିକ ସ୍ମରଣିକା ଉନ୍ମୋଚନ କରିବା ସହ ସଙ୍ଗୀତଜ୍ଞ ପଣ୍ଡିତ ରଘୁନାଥ ପାତ୍ର , ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର , ଡଃ ରଜତ କୁମାର ସେଠୀଙ୍କ ସମେତ ରାୟଗଡା ଜିଲ୍ଲା ର ସଭାପତି ରାଧାକୃଷ୍ଣ ପଟ୍ଟନାୟକ , ସମ୍ପାଦକ ରଞ୍ଜିତ ପାଢ଼ୀ ଓ ବରିଷ୍ଠ ସଦସ୍ୟ ରାଜେଶ ପଟ୍ଟନାୟକ ଙ୍କୁ ଉପଢୌକନ , ମାନପତ୍ର ଓ ମୁମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଏବଂ ଦିଗପହଣ୍ଡି ବିଧାୟକ ଶ୍ରୀ ମହାପାତ୍ରଙ୍କୁ ୟୁନିଅନର ରାଜ୍ୟ ସଭାପତି ଶ୍ରୀ ପ୍ରସନ୍ନ ମହାନ୍ତି ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା , ପେନସନ ଓ ସ୍ୱାସ୍ଥ୍ୟବୀମା ଦାବୀ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାମ୍ବାଦିକ ଆଦର୍ଶ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ।
ସମାବେଶ ପୂର୍ବରୁ ସଂଘର ଶତାଧିକ ସଦସ୍ୟ ସ୍ଥାନୀୟ ଗଜପତି ପ୍ଯାଲେସ୍ ଠାରୁ ବଜାର ଛକ ଯାଏଁ ଶୋଭାଯାତ୍ରା ରେ ଯାଇ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ସେଠାରେ ସାମ୍ବାଦିକ ମାନେ ସେମାନଙ୍କ ଦାବି ଗୁଡିକ ଉଲ୍ଲେଖ ଥିବା ପ୍ଲାକାର୍ଡ ଧରି ଧାରଣା ଦେଇଥିଲେ। ଏହି କାର୍ଯ୍ଯକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ରାଜ୍ଯ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର , ଉପ ସଭାପତି ରାଜେଶ ପଟ୍ଟନାୟକ , ପ୍ରଶନ ପାଇକରାୟ , ଅଶୋକ ନନ୍ଦ , ଅମୁଲ୍ଯ ସ୍ବାଇଁ , ଅକ୍ଷୟ ସାହୁ , ରାଜିବ ମହାନ୍ତି , ପରିକ୍ଷିତ ବିଶ୍ବାଳ , କିଶାନ ରାଉତ , ପ୍ରଶାନ୍ତ ବେହେରା ଙ୍କ ସମେତ ଗଜପତି ଜିଲ୍ଲା ର ସଭାପତି ବସନ୍ତ ପଣ୍ଡା , କାର୍ଯ୍ଯକାରି ସଭାପତି ରୂପେଶ ସାହୁ , ସାଧାରଣ ସମ୍ପାଦକ ଆଦର୍ଶ ଦାସ , ଉପଦେଷ୍ଟା କେ. ରାମ ସ୍ବାମୀ , ସମ୍ପାଦକ ଗିରିଧାରି ପରିଚ୍ଛା , ରାମ ଗୋବିନ୍ଦ ଆଚାର୍ଯ୍ୟ , ସତ୍ଯ ନାରାୟଣ ପାଢ଼ୀ , କେଦାରନାଥ ପାତ୍ର , ହରିହର ପଟ୍ଟନାୟକ , ବାସୁଦେବ ଦାସ , ଶ୍ରୀକାନ୍ତ ମହାରଣା , ନାଗେଶ୍ଵର ମହାପାତ୍ର , ଏସ. ରୁଷି ପ୍ରମୁଖ ମିଳିତ ଭାବେ ଏହି କାର୍ଯ୍ଯକ୍ରମ ଆୟୋଜନ କରିଥିଲେ।