ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଗୁରୁ ଦିବସ ପାଳନ ଅବସରରେ ସେପ୍ଟେମ୍ବର ୫ରେ ଓଡ଼ିଶା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ଏହାର ଆୟୋଜନ ନେଇ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ମାୟାଧର ସାହୁ କାର୍ଯ୍ୟକ୍ରମ ଗୁଡ଼ିକ ଉପସ୍ଥାପନା କରିଥିଲେ। ସୂଚନା ଥାଉ କି , ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଗଜପତି ଜିଲ୍ଲାରେ ୯୨୫ ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁରସ୍କାର ପାଇବେ। ୭୧୧ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର , ୧୫୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ପୁରସ୍କାର ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ଉକ୍ତ ଦିନ ୧୦ ଘଟିକା ସମୟରେ ଆରମ୍ଭ ହେବ , ମଧ୍ୟାହ୍ନ ୧୨ଟାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲା ସ୍ତରରେ ପ୍ରସାରଣ କରାଯିବ।
ଗତ ହାଇସ୍କୁଲ ପରୀକ୍ଷା ଫଳାଫଳ ଆଧାରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଓଡ଼ିଆ ବିଷୟରେ ୯୦ ନମ୍ବରରୁ ଉର୍ଦ୍ଧ୍ଵ ରଖୁଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟ ଆୟୋଜନ ନେଇ ସ୍ଥାନ ନିର୍ଦ୍ଧାରଣ ଏବଂ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ପୁଲିସ୍ , ସ୍ଵାସ୍ଥ୍ୟ ସେବା , ଅଗ୍ନିଶମ ବିଭାଗ ପିଲାଙ୍କ ଯିବା ଆସିବା ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମାଧ୍ଯମରେ ବସ ଯୋଗାଣ , ପାନୀୟଜଳ ଆଦି ବ୍ୟବସ୍ଥା ସମ୍ବନ୍ଧରେ ବିଚାର ବିମର୍ଷ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାଶ , ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୋରା ଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପଲୁ ରବି କୁମାର , ଡିଆଇଇଟି ଅଧ୍ୟକ୍ଷ ଓ ଅନ୍ୟ ସଂପୃକ୍ତ ଶିକ୍ଷା ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.