ଭୁବନେଶ୍ୱର, ୦୭/୦୮ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।
ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ମାସ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ସମ୍ରେ ଶିଶୁରୋଗ ଓ ନବଜାତ ଶିଶୁରୋଗ ବିଭାଗ ଆନୁକୂଲ୍ୟରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ସପ୍ତାହ ପାଳନ କରାଯାଇଥିଲା ।
ସ୍ତନ୍ୟପାନ ଶିଶୁ ପାଇଁ ମହୌଷଧି । ପାଂଚ ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ ମୃତୁ୍ୟ ହାର କମ୍ କରିବା ଓ ସଂକ୍ରମଣ ହ୍ରାସ କରାଇବା କ୍ଷେତ୍ରରେ ସ୍ତନ୍ୟପାନ ବହୁମାତ୍ରାରେ ସହାୟକ ହୋଇଥାଏ । ଏଥି ସହିତ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ କ୍ଷେତ୍ରରେ ସ୍ତନ ଓ ଜରାୟୁ କର୍କଟ ହେବାର ସମ୍ଭାବନା ମଧ୍ୟ କମ୍ ଦେଖା ଦେଇଥାଏ ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଛାତ୍ରଛାତ୍ରୀ ଓ ନର୍ସିଂ ଷ୍ଟାଫମାନଙ୍କ ମଧ୍ୟରେ କୁଇଜ୍, ପୋଷ୍ଟର ଓ ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ କରାଯାଇଥିଲା ।
ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ମାଧ୍ୟମରେ ମାତୃ ସ୍ତନ୍ୟର ଉପକାରିତା ଏବଂ ମହାନତା ଉପରେ ସଚେତନତା ଓ ଉପଦେଶ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଇଏନଟି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସୌମ୍ୟରଂଜନ ଦାସ, ଶିଶୁ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମମତାଦେବୀ ମହାନ୍ତି, ନବଜାତ ଶିଶୁ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ, ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଶିବାନନ୍ଦ ନାୟକ ଓ ଏନ୍.ଏନ୍.ଏଫ୍ ଓଡିଶା ସଚିବ ଡାକ୍ତର ସନ୍ତୋଷ କୁମାର ପଣ୍ଡା ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।
ସ୍ନାତକୋତର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।
ଶେଷରେ ନବଜାତ ଶିଶୁ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର)ଦେବାଶିଷ ନନ୍ଦ ଧନ୍ୟବାଦ ଅର୍ପଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.