କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ : ବିଜେଡି

6
  •  ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଭ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ

  •  ଜିଏସଟି ଲାଗୁ ହେବା ପରେ କେନ୍ଦୁପତ୍ର ତୋଳାଳିଙ୍କ ବୋନସ କମିଛି

  •  ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରତିଶ୍ରୁତି ବିଡି କମ୍ପାନୀଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା କି ?

ଭୁବନେଶ୍ୱର: ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ଶ୍ରୀ ସଞ୍ଜିତ ମହାନ୍ତି କହିଛନ୍ତି, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ ଓ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ବିରୋଧୀ । ତାଙ୍କ ବକ୍ତବ୍ୟରୁ ପ୍ରତୀୟମାନ ହେଉଛି ଯେ ସେ ଓଡ଼ିଶାର ଅଗଣିତ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଅନ୍ୟ ରାଜ୍ୟମାନଙ୍କ ସହ ସ୍ୱର ମିଳେଇବାକୁ ବେଶୀ ପସନ୍ଦ କରୁଛନ୍ତି ।
ଶ୍ରୀ ସିଂଦେଓଙ୍କ ଭାଷାରେ ଯଦି କେନ୍ଦୁପତ୍ର ଉପରୁ ଜିଏସଟି ଛାଡ଼ ପ୍ରସଙ୍ଗ ଗୁରୁତ୍ବପୂର୍ଣ୍ଣ ନୁହେଁ, ତାହେଲେ ବିଜେପି ତାର ୨୦୧୯ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିଲେ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ କରିବ ବୋଲି ପ୍ରତିଶ୍ରୁତି ଦେଇଥୁଲା କାହିଁକି ? ଶ୍ରୀ ସିଂଦେଓଙ୍କ ମନ୍ତବ୍ୟ ଅନୁଯାୟୀ ଯଦି ଜିଏସଟି ଉଛେଦ ହେଲେ ବିଡି କମ୍ପାନୀଙ୍କୁ ସୁହାଇବ ତାହେଲେ ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରତିଶ୍ରୁତି କ’ଣ ବିଡି ତିଆରି କମ୍ପାନୀ ମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଥିଲେ । ପ୍ରତିଶ୍ରୁତି ଦେଇ ପାଳନ ନ କରିବା ବିଜେପିର ପୁରୁଣା ଅଭ୍ୟାସ କିନ୍ତୁ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଭାବେ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ ପାଇଁ ମୁହଁ ଖୋଲିବାର ଆବଶ୍ୟକତା ଅଛି।
କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ହେଲେ କେନ୍ଦୁପତ୍ର ତୋଳାଳୀ ନୁହେଁ ବରଂ ଏହାକୁ କିଣୁଥିବା ବ୍ୟବସାୟୀମାନେ ଲାଭବାନ ହେବେ ବୋଲି ଶ୍ରୀ ସିଂଦେଓ ଦେଇଥିବା ମନ୍ତବ୍ୟ ମଧ୍ୟ ଗ୍ରହଣୀୟ ନୁହେଁ। ୧୮% ଜିଏସଟି ଲାଗୁ ହେବା ପରେ, କେନ୍ଦୁପତ୍ର କିଣୁଥିବା ବ୍ୟବସାୟୀମାନେ ଟିକସ ମୂଲ୍ୟକୁ ମିଶାଇ କେନ୍ଦୁପତ୍ର ମୂଲ୍ୟ ପ୍ରଦାନ କରୁଛନ୍ତି, ଯେଉଁ କାରଣରୁ ପରିଶେଷରେ କେନ୍ଦୁପତ୍ର ତୋଳାଳୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। କେନ୍ଦୁପତ୍ର ଉପରେ ଜିଏସଟି ଲାଗିବା ପୂର୍ବରୁ ରାଜ୍ୟରେ କେନ୍ଦୁପତ୍ର ବ୍ୟବସାୟ ପ୍ରାୟ ସାତ ଶହ କୋଟି ଟଙ୍କା ବ୍ୟବସାୟ ହେଉଥିବା ବେଳେ ଜିଏସଟି ଲାଗୁ ହେବା ପରେ ଏହି ବ୍ୟବସାୟ ପାଞ୍ଚ ଶହ ଚାଳିଶ କୋଟିକୁ ଖସି ଆସିଛି। ୨୦୧୬-୧୭ ମସିହାରେ, କେନ୍ଦୁପତ୍ର ତୋଳାଳିଙ୍କୁ ଶହେ ପ୍ରତିଶତ ବୋନସ ଦିଆଯାଉଥିବା ବେଳେ ଜିଏସଟି ଲାଗୁ ହେବା ପରେ ଲାଭର ପରିମାଣ କମ ହେବାରୁ ଏହା ପଚାଶ ପ୍ରତିଶତକୁ ଖସି ଆସିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କାର୍ଯ୍ୟରତ ପନ୍ଦର ଲକ୍ଷ୍ୟ କେନ୍ଦୁପତ୍ର ତୋଳାଳୀଙ୍କ ମଧ୍ୟରୁ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଏଥୁରୁ ନବେ ପ୍ରତିଶତ ମହିଳା ଅଟନ୍ତି । ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ । ଆଶା କରୁଛୁ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ଏଥିରେ ହସ୍ତକ୍ଷେପ କରି ରାଜ୍ୟର କେନ୍ଦୁପତ୍ର ତୋଳାଳିଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.