ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଏବଂ ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଟି.ବବିତା କୁମାରୀ ଯୋଗ ଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ରୂପେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ ସମ୍ପାଦକ ବିଭୂ ପ୍ରସାଦ ସାହୁ, ଜିଲ୍ଳା ସମ୍ପାଦକ ଜି ତ୍ରିପତି,ବ୍ଳକ୍ ସମ୍ପାଦକ ମନୋରଞ୍ଜନ ବିଷୋୟୀ, ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପରିଡ଼ା, ସମାଜ ସେବୀ ଲିଙ୍ଗରାଜ ପାତ୍ର, ଜିତେନ୍ଦ୍ର ନାୟକ, ଯତୀନ୍ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବିଧାୟକ ନୀଳମଣି ବିଷୋୟୀଙ୍କୁ ସମ୍ବର୍ଦ୍ଧନା ପତ୍ର, ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ବିଧାୟକ ଶ୍ରୀ ବିଷୋୟୀ ଗୁରୁଙ୍କ ଅବଦାନ ସମାଜ ପାଇଁ ଅତୁଳନୀୟ ବୋଲି ପ୍ରକାଶ କରିବା ସହିତ ନୂତନ ଗୁରୁ ଏବଂ ଉତ୍ତମ ଶିଷ୍ୟ ସୃଷ୍ଟି ଦିଗରେ ଯତ୍ନବାନ୍ ହେବା ଉଚିତ୍ ବୋଲି ପ୍ରକାଶ କରିଥିଲେ I ଏହା ସହିତ ପ୍ରାଥମିକ ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ଯଥା କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, ପ୍ରାଥମିକ ଶିକ୍ଷାରୁ ଠିକା ଉଚ୍ଛେଦ ସମ୍ପର୍କରେ ସେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବା ସହିତ ବ୍ଳକ୍ ସ୍ତରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ I ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷୟିତ୍ରୀ ରେଣୁପ୍ରଭା ଦାସ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ପରିସରରେ ଚାରା ରୋପଣ କରାଯାଇଥିଲା I ଶିକ୍ଷକ ଛାୟାକାନ୍ତ ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ମଞ୍ଚ ପରିଚାଳନା କରିଥିଲେ I ଶିକ୍ଷକ ଶିଶିର କୁମାର ସ୍ଵାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I ଶିକ୍ଷକ ସଂଘ ଉପସଭାପତି ଶଲ୍ୟ ସିଅ, କୋଷାଧ୍ୟକ୍ଷ ଶଙ୍କରନାରାୟଣ ସେଠୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ 250 ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.