ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଜ୍ୟୋତିପ୍ରକାଶ : ଉତ୍ତମ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କଲେ ପରିବାର ଲୋକେ l
(ନିଶ୍ଚିନ୍ତକୋଇଲି – ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟ ଛକରେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ଏକ କାଉଡ଼ିଆ ଦଳ ଉପରକୁ କାର ମାଡ଼ିଯିବାରୁ ଦୁର୍ଘଟଣାରେ ଜିଗ୍ନୀପୁର (ବସୁପଦା) ଗ୍ରାମର ଚିନ୍ମୟୀ ବେହେରା(୨୨)ଙ୍କ ର ମୃତ୍ୟୁ ହୋଇଥିଲା ବେଳେ ସେହି ଗ୍ରାମର ପୂର୍ଣଚନ୍ଦ୍ର ବେହେରା (୩୫) ଓ ଝାରପଡ଼ା ଗ୍ରାମର ଜ୍ୟୋତିପ୍ରକାଶ ରାଉତ (୧୫) ଗୁରୁତର ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଜ୍ୟୋତିପ୍ରକାଶଙ୍କ ମୁଣ୍ଡ ଓ ଛାତିରେ ଶକ୍ତ ଆଘାତ ଲାଗିଥିବାରୁ ସେ ବର୍ତ୍ତମାନ ଆଇସିୟୁରେ ରହି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ବିଗତ ୭ଦିନ ହେବ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କ ସାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ପରିଲିକ୍ଷିତ ହେଉନାହିଁ l ବଡ଼ ମେଡ଼ିକାଲରେ ତାଙ୍କ ପ୍ରତି ଚିକିତ୍ସାରେ ବହୁ ଅବହେଳା କରାଯାଉଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଜ୍ୟୋତିପ୍ରକାଶଙ୍କୁ ଉତ୍ତମ ସାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲେ ତାଙ୍କର ସାସ୍ୟୁ ଅବସ୍ଥାରେ ଉନ୍ନତି ହୋଇଥାନ୍ତା ବୋଲି ତାଙ୍କ ବଡ଼ବାପା ବିଜୟ କେତନ ରାଉତ ପ୍ରକାଶ କରିଛନ୍ତି । ଉପଯୁକ୍ତ ଚିକିତ୍ସା ନହେବାରୁ ଦିନକୁ ଦିନ ସାସ୍ଥ୍ୟ ଅବସ୍ଥା ଖରାପ ହେଉଥିବା ଦେଖାଯାଇଛି । ବେସରକାରୀ ହସପିଟାଲକୁ ନେଇ ଚିକିତ୍ସା କରାଇବା ପରିବାର ପକ୍ଷେ ସମ୍ଭବପର ହେଉନଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦେଲେ ସେ ଭଲ ଚିକିତ୍ସା ସେବା ଦେଇପାରନ୍ତେ ବୋଲି କହିଛନ୍ତି । ଦୁର୍ଘଟଣା ଘଟିବା ପରେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଜ୍ୟୋତିପ୍ରକାଶକୁ ମେଡ଼ିକାଲକୁ ଦେଖିବାକୁ ଯାଇଥିବା ବେଳେ ତାଙ୍କର ସାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସତନ୍ତ୍ର ଚିକିତ୍ସାସେବା ଯୋଗାଇଦେବା ପାଇଁ ଦାବି କରିଥିଲେ । ପ୍ରଥମରୁ ଦିନେ ଦୁଇ ଦିନ ସଠିକ୍ ଭାବେ ଚିକିତ୍ସା କରାଯାଇଥିବାରୁ ତାଙ୍କର ସାସ୍ଥ୍ୟବସ୍ଥା ଭଲ ଥିଲା l ଏହା ପରେ ଚିକିତ୍ସା ଅବହେଳା ଯୋଗୁଁ ସାସ୍ଥ୍ୟବସ୍ଥା ଦିନକୁ ଦିନ ଖରାଫ ହେବାକୁ ଲାଗିଛି । ଅପରପକ୍ଷରେ ପୋଲିସ ପକ୍ଷରୁ ଦୁର୍ଘଟଣା ଗ୍ରସ୍ତ କାର ଡ୍ରାଇଭର ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ କୋହଳ ଚାର୍ଜସିଟ୍ ଯୋଗୁଁ ସେ ଜାମିନରେ ପଳାଇ ଯାଇଥିବା ଜଣାଯାଇଛି । ଏଭଳି ପରିସ୍ଥିତିରେ ପରିବାର ଲୋକେ କଣ କରିବେ ସେ ନେଇ ଦୁଶ୍ଚିନ୍ତାରେ ପଡ଼ିଛନ୍ତି । ଜ୍ୟୋତିପ୍ରକାଶ ଏକମାତ୍ର ପୁତ୍ର ହୋଇଥିବାରୁ ତାଙ୍କର ଏଭଳି ଅବସ୍ଥାରେ ପିତାମାତା ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଏଥିପ୍ରତି ଖୋଦ୍ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।