ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇବ – ମୁଖ୍ୟମନ୍ତ୍ରୀ

6

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ଓଡିଶା ପବ୍ଲିସର୍ସ ଆଣ୍ଡ ବୁକ୍‌ ସେଲର୍ସ ଆସୋସିଏସନ

ଓଡିଆ ଅସ୍ମିତାର ସୁରକ୍ଷା ପାଇଁ ନୂଆ ଜାଗରଣ ଆଣିଛନ୍ତି ମୁଖ୍ୟମନ୍ତ୍ରୀ, ଓଡ଼ିଆ ଭାଷା ସାହିତ୍ୟରେ ଅଧିକ ପୁସ୍ତକ ପ୍ରକାଶନର ସମ୍ଭାବନା ଉଜ୍ଜଳ ହୋଇଛି– ପବ୍ଲିସର୍ସ ଆସୋସିଏସନ

ଭୁବନେଶ୍ବର,: ଆଜି ଲୋକସେବା ଭବନଠାରେ ଓଡିଶା ପବ୍ଲିସର ଆଣ୍ଡ ବୁକ୍‌ ସେଲର୍ସ ଆସୋସିଏସନ, କଟକର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଓଡିଆ ଅସ୍ମିତାର ସୁରକ୍ଷା ଏବଂ ଓଡିଆ ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ପାଇଁ ଆମେ କାମ ଆରମ୍ଭ କରିଛୁ । ଓଡିଆ ଅସ୍ମିତା ପାଇଁ ଏକ କର୍ପସ ଫଣ୍ଡ ମଧ୍ୟ ଗଠନ କରିଛୁ । ଆଗକୁ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ ହେବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଗ୍ରାମାଞ୍ଚଳ ଗୁଡିକରେ ପାଠାଗାର ସ୍ଥାପନ ପାଇଁ ମଧ୍ୟ ଯୋଜନା ରହିଛି। ସରକାରୀ ଓ ବେସରକାରୀ ସ୍ତରରେ ଓଡିଆ ଭାଷାର ବ୍ୟବହାର ବୃଦ୍ଧି ପାଇଲେ ପ୍ରକାଶକ ମାନେ ଏହାଦ୍ବାରା ଉପକୃତ ହେବେ ବୋଲି ସେ କହିଥିଲେ।

ଆସୋସିଏସନର ସଭାପତି ଶ୍ରୀ ଗଙ୍ଗାଧର ତ୍ରିପାଠୀ କହିଥିଲେ ଯେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଆପଣଙ୍କ ଆନ୍ତରିକତା ଯୋଗୁ ଆମେମାନେ ବହୁତ ଖୁସି। ଏହାଦ୍ବାରା ଓଡିଆ ଭାଷାରେ ପାଠ୍ୟପୁସ୍ତକ ସହିତ ସାହିତ୍ୟ ପତ୍ରିକା ଓ ଉପନ୍ୟାସ ଅଧିକ ସଂଖ୍ୟାରେ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ଭାବେ ଆପଣ ଓଡିଆ ଅସ୍ମିତା କ୍ଷେତ୍ରରେ ନୂଆ ଜାଗରଣ ଆଣିଛନ୍ତି । ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଆସୋସିଏସନ ପକ୍ଷରୁ କଟକର ଫେଣ୍ଡସ୍ ପବ୍ଲିସର, ବିଦ୍ୟାପୁରୀ, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ଶକ୍ତି ପବ୍ଲିଶର୍ସ, ନବଦିଗନ୍ତ, ଓଡିଶା ବୁକ୍‌ ଷ୍ଟୋର, ଜଗନ୍ନାଥ ରଥ, ମା ସାରଦା ପବ୍ଲିକେଶନ, ବୁକ୍‌ସ ଏଣ୍ଡ ବୁକ୍‌ସ ଏବଂ ଓମ୍‌ ସାଇ ପବ୍ଲିକେଶନ ସଂସ୍ଥାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.