ପୋଲସରାରେ ସ୍ବର୍ଗତ ବିଶ୍ବନାଥ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପଶୁ ସମ୍ପଦ ମନ୍ତ୍ରୀ
ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମ ଦିବସକୁ ରାଜ୍ୟ ସ୍ତରୀୟ ଉତ୍ସବ ଭାବରେ ପାଳନ କରିବାକୁ କଲେ ଅନୁରୋଧ
ଭୁବନେଶ୍ୱର : ଓଡ଼ିଶାର ବରପୁତ୍ର ମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ସ୍ବର୍ଗତ ବିଶ୍ବନାଥ ଦାସ ଅନ୍ୟତମ । ରାଜ୍ୟର ଏହି ମହାପୁରୁଷଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପତ୍ର ମାଧ୍ୟମରେ ସେ ଏହି ଅନୁରୋଧ କରିଛନ୍ତି । ସ୍ବର୍ଗତ ବିଶ୍ବନାଥ ଦାସ ତତ୍କାଳୀନ ଗଜପତି ଜିଲ୍ଲା ଓ ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ଅଧୀନସ୍ଥ ବେଲଗାଁ ଗ୍ରାମରେ ୧୮୮୯ ମସିହା ମାର୍ଚ୍ଚ ମାସ ୮ ତାରିଖରେ ଜନ୍କଗ୍ରହଣ କରିଥିଲେ । ୧୯୨୧ ମସିହାରୁ ୧୯୩୧ ମସିହା ପର୍ଯ୍ୟନ୍ତ ଶ୍ରୀଯୁକ୍ତ ଦାସ ତତ୍କାଳୀନ ମାନ୍ଦ୍ରାଜ ରାଜ୍ୟର ବିଧାନ ପରିଷଦର ସଦସ୍ୟ ରହି ଓଡ଼ିଆଙ୍କ ସ୍ବରକୁ ବଳିଷ୍ଠ ଭାବରେ ଉପସ୍ଥାପନ କରିଥିଲେ । ଭାଷା ଭିତ୍ତିରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଓ ଓଡ଼ିଆା ଭାଷା, ସଂସ୍କୃତିର ବିକାଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଅବିଭକ୍ତ ଗଞ୍ଜାମର ରୟତ ଚାଷୀ ମାନଙ୍କର ସ୍ବାର୍ଥ ପାଇଁ ଲଢେଇରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଆ ଅସ୍ମିତାକୁ ଗୁରୁତ୍ବ ଦେଇ ରାଜ୍ୟର ବରପୁତ୍ରଙ୍କୁ ସମ୍ମାନ ଦେବାକୁ ନିଷ୍ପତି ନେଇଛନ୍ତି । ତେଣୁ ପୋଲସରାଠାରେ ଜନନାୟକ ବିଶ୍ବନାଥ ଦାସଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ସହ ପ୍ରତ୍ୟେକ ବର୍ଷ ତାଙ୍କ ଜନ୍ମ ଦିବସକୁ ରାଜ୍ୟ ସ୍ତରୀୟ ଉତ୍ସବ ଭାବରେ ପାଳନ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।