ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର ଦିନ) ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୫ ତମ ଶିଶୁ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି।
ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁକନ୍ୟାକୁ , ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର , ପାରଳାଖେମୁଣ୍ଡି ଠାରେ ରଖି ଯତ୍ନ ଓ ସୁରକ୍ଷା ପ୍ରଦାନ କରାଯାଉଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି , ଗଜପତି ଶିଶୁକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁର ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା , ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା।
ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ଚାରି ବର୍ଷ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ। ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁକୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁକୁ ପାଇ ଉକ୍ତ ଦମ୍ପତି ଜଣକ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ହସ୍ତାନ୍ତର ସମୟରେ ଜିଲ୍ଲା ପରିଷଦ ର ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ମୁଖ୍ଯ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ ଡଃ ଗୁଣନିଧି ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.