ପରକୀୟା ପ୍ରୀତି ଓ କ୍ଷମତାର ଦୁରୁପଯୋଗ ଅଭିଯୋଗ
ଭୁବନେଶ୍ୱର: ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି. ଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା। ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡି.ଆଇ.ଜି ଭାବରେ କାର୍ଯ୍ୟରତ ଥିଲେ।
ନୀତି ଆୟୋଗର ବୈଠକରେ ଯୋଗ ଦେବା ପରେ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ୨୭ ତାରିଖ ରାତିରେ ଉତ୍ତମରାଓ କ୍ୟାପିଟାଲ ଥାନା ଅନ୍ତର୍ଗତ କେଶରୀ ନଗରରେ ରହୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ(ଇଓଡବ୍ଲୁ) ଶାଖାରେ କାର୍ଯ୍ୟରତ ଜଣେ ମହିଳା ଇନସପେକ୍ଟରଙ୍କ ସରକାରୀ କ୍ୱାର୍ଟର୍ସକୁ ସମ୍ପୂର୍ଣ୍ଣ ନିଶାଶକ୍ତ ଅବସ୍ଥାରେ ଯାଇଥିଲେ । ତାଙ୍କୁ ନିଭୃତରେ ଦେଖା କରି ବାହା ହେବାକୁ ଜିଦ୍ କରିବା ସହ ସାଙ୍ଗରେ ପଳାଇ ଆସିବାକୁ ବାଧ୍ୟ କରିଥିଲେ ।ଏହି ସମୟରେ ଇନସପେକ୍ଟରଙ୍କ ସ୍ୱାମୀ ଘରେ ପହଞ୍ଚି ଯିବାରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା |କ୍ୟାପିଟାଲ ଥାନା ପୋଲିସ୍ର ହସ୍ତକ୍ଷେପ ପରେ ନିଶାଶକ୍ତ ଅବସ୍ଥାରେ ଥିବା ଉତ୍ତମରାଓଙ୍କୁ ବୁଝାଇ ସୁଝାଇ ପରିସ୍ଥିତି ଆୟତ୍ତକୁ ଆଣିଥିଲେ । ଆଇପିଏସ୍ ରାଜେଶଙ୍କ ମାଡ଼ରେ ଇନସପେକ୍ଟରଙ୍କ ସ୍ୱାମୀଙ୍କ ମୁହଁ ଫାଟିଯାଇଥିବା ଅଭିଯୋଗ ହୋଇଛି |