ଟିକିଏ ବର୍ଷା ହେଲେ ଗ୍ରାମ୍ୟ ରାସ୍ତା ଜଳମୟ: ଗମନାଗମନ ବାଧାପ୍ରାପ୍ତ l

6

(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧୁନସ୍ଥ ବାବୁଜଙ୍ଗ ପଞ୍ଚାୟତର ଗ୍ରାମ୍ୟ ରାସ୍ତା ଟିକିଏ ବର୍ଷା ହେଲେ ଜଳମୟ ହୋଇଯାଉଛି । ଏହି ପଞ୍ଚାୟତର ୧୫ ଏବଂ ୧୬ନଂ ୱାର୍ଡ଼ର ଅଧିବାସୀମାନେ ଘରୁ ବାହାରିଲେ ରାସ୍ତାରେ ଜମିଥିବା ପାଣିରେ ପଶି ଯାତାୟତ କରୁଛନ୍ତି । ଏହି ଦୁଇ ୱାର୍ଡ଼ର ବାରିମୂଳ ଗାଁ ଠାରୁ ଉତ୍ତରକୂଳ ପର୍ଯ୍ୟନ୍ତ ନିର୍ମାଣ କରାଯାଇଥିବା ରାସ୍ତାଟି ଅତ୍ୟନ୍ତ ଖାଲୁଆ ହୋଇଥିବାରୁ ବର୍ଷା ଦିନେ ଉକ୍ତ ରାସ୍ତାରୁ ବର୍ଷା ଜଳ ନିଷ୍କାସନ ନହୋଇପାରି ରାସ୍ତା ଉପରେ ଜମି ରହୁଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଲୋକମାନେ ଯାତାୟତ କରୁଥିବା ବେଳେ ବହୁ ଦୁଇଚକିଆ ଓ ଚାରି ଚକିଆ ଯାନ ମଧ୍ୟ ଯାତାୟତ କରିଥାନ୍ତି । ପାଣି ଭିତରେ ପଶି ଯାତାୟତ କରୁଥିବା ଯାନବାହନ ଗୁଡ଼ିକ ଖାଲଖମାରେ ପଡ଼ି ଅନେକ ସମୟରେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ବିଶେଷ କରି କୋମଳମତୀ ସ୍କୁଲ ଛାତ୍ର ଛାତ୍ରୀମାନେ ଏହି ପାଣିଭରା ରାସ୍ତାରେ ଯାତାୟତ କରୁଥିଲା ବେଳେ ଏଥିରେ ପଡ଼ି ବ‌ହି ବସ୍ତାନି ଓ ପୋଷାକ ପତ୍ର ଓଦା ହେଉଥିବାର ଦେଖାଦେଇଛି । ରାସ୍ତାରେ ସବୁବେଳେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ଏଥିରେ ବିଭିନ୍ନ ଅଳିଆ ଆବର୍ଜନା ପଡ଼ି ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି l ଫଳରେ ମଶା, ମାଛି, ଡ଼ାଆଁସଙ୍କ ପାର୍ଦୁଭାବ ବଢିବାରେ ଲାଗିଛି । ବେଳେ ବେଳେ ଏହି ପାଣି ମଧ୍ୟରେ ବିଷଧର ସାପ ଗୁଡ଼ିକ ଆସି ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଘରେ ପଶି ଯାଉଥିବାର ଦେଖାଯାଇଛି । ସବୁ ସମୟରେ ଲୋକମାନେ ଏହି ପାଣି ଭିତରେ ପଶି ଯାତାୟତ କରୁଥିବାରୁ ସେମାନଙ୍କୁ ଥଣ୍ଡା, ସର୍ଦ୍ଦି, ଜ୍ଵର ରେ ପୀଡ଼ିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଢଳେଇ ରାସ୍ତା ନିର୍ମାଣ ସମୟରେ ଅତ୍ୟନ୍ତ ଖାଲୁଆ କରାଯିବା ଏବଂ ପାଣି ନିଷ୍କାସନର ବ୍ୟବସ୍ଥା ହୋଇନଥିବାବେଳେ ଟିକିଏ ବର୍ଷା ହେଲେ ଏଭଳି ଅବସ୍ଥା ସୃଷ୍ଟି ହେଉଛି। ରାସ୍ତାରୁ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା କରିବା ନିମନ୍ତେ ବହୁବାର ଅଞ୍ଚଳବାସୀ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଜଣାଯାଇଛି। ଏ ସଂକ୍ରାନ୍ତରେ ବିଡ଼ିଓ ବିରଞ୍ଚି ନାରାୟଣ ବେହେରାଙ୍କୁ ପଚାରିବାରୁ ଏ ସଂକ୍ରାନ୍ତରେ ସେ ଅବଗତ ନାହାଁନ୍ତି, ଅଭିଯୋଗ ଆସିଲେ ସମସ୍ୟା ଦୂର କରାଯିବ ବୋଲି ପ୍ରକାଶ କରିଥିଲେ। |

Leave A Reply

Your email address will not be published.