“ରତ୍ନ ଭଣ୍ଡାରକୁ ନେଇ ରାଜ୍ୟ ସରକାର ଅସତ୍ୟ ଖବର ପ୍ରଚାରରୁ କ୍ଷାନ୍ତ ରୁହନ୍ତୁ”

5

୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲା ଯାଇ ଥିବା କଥାର ପ୍ରଚାର ସତ କି?- ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର – ୧୬.୭.୨୪:-ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ସରକାର ଗଠନ ହେଲା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ ନୂଆ କମିଟି ଗଠନ କଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଗଲା । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଅନୁସାରେ ଗତ ଜୁଲାଇ ୧୪ ତାରିଖ ଦିନ ଚାବିକୁ କାଟି ଭିତର ରତ୍ନଭଣ୍ଡାର ଖୋଲାଗଲା । ଏହାର ବହୁ ପୂର୍ବରୁ ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି କଥାଟି ସତ୍ୟ କି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ରେ ପୂର୍ବତନ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି, କଂଗ୍ରେସ ସରକାର ସମୟରେ ୧୪.୦୭.୧୯୮୫ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଆର.ଟି.ଆଇ ତଥ୍ୟରୁ ଉପଲବ୍ଧ । ପ୍ରକାଶ ଥାଉ କି ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ଯଦି ସେତେବେଳେ ଭିତର ରତ୍ନଭଣ୍ଡାରକୁ ଚାବି ଦ୍ୱାରା ଖୋଲାଯାଇଥିଲା, ତେବେ ଆଜି ସେ ଚାବି କେଉଁଠି ଅଛି? ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଉଚିତ । ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ରାଜ୍ୟ ସରକାର ଜୁନ ମାସ ୬ ତାରିଖ ୨୦୧୮ ମସିହାରେ ଓଡିଶା ହାଇକୋର୍ଟ ପୂର୍ବତନ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏକ ଜ୍ୟୁଡିଶିଆଲ କମିଶନ ଗଠନ କରିଥିଲେ । ଏହି କମିଶନ ତାର ତଦନ୍ତ ରିପୋର୍ଟ ନଭେମ୍ବର ୨୯, ୨୦୧୮ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ । ତେଣୁ ମୋର ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ତୁରନ୍ତ ଏ ରିପୋର୍ଟକୁ ସାର୍ବଜନୀନ କରନ୍ତୁ । ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ଚାବି କେଉଁଠାରେ ରଖାଗଲା, ତାହା ନିଶ୍ଚିତ ରୂପେ ମେକାପ୍ ରେଜିଷ୍ଟ୍ରରରେ ଲିପିବଦ୍ଧ ହୋଇଥିବ । ସେହି ଆଧାରରେ ଚାବି କେଉଁଠି ଅଛି ତାହା ବାହାର କରାଯାଉ । ରାଜ୍ୟର ଅଗଣିତ ଜଗନ୍ନାଥଙ୍କ ଭକ୍ତଙ୍କ ପାଖକୁ ଭିତର ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଏକ ମିଥ୍ୟା ଖବର ପ୍ରଚାର କରାନଯାଉ । ସରକାର ଏଭଳି ଅସତ୍ୟ ଖବର ପ୍ରଚାର କରିବାରୁ କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.