କୁଜଙ୍ଗ : କୁଜଙ୍ଗ ବ୍ଲକ ରେ ଆଉ ଚାଲିବନି ପିସି କାରବାର l ଯାହାକୁ ନେଇ ଆକ୍ସନ ମୋଡରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l କୁଜଙ୍ଗ ବ୍ଲକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ଵାଇଁ ଏବଂ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ। କୁଜଙ୍ଗ ବ୍ଲକରେ ରହିଥିବା ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ଅଧିକାରୀମାନେ ଉପସ୍ଥିତ ରହି ଶିକ୍ଷା, ସ୍ଵାସ୍ଥ୍ୟ, ରାସ୍ତା, ପାନୀୟ ଜଳ, ଗୃହ ନିର୍ମାଣ, କୃଷି, ମିଶନ ଶକ୍ତି ଭଳି ୧୯ଟି ବିଭାଗର ବିକାଶମୂଳକ କାର୍ଯ୍ୟର ହିସାବ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅଧିକାଂଶ କାର୍ଯ୍ୟରେ ସରକାରୀ ଅଧିକାରୀ ପିସି ଦାବି କରୁଥିବା ନେଇ ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା। ଯାହାକୁ ନେଇ ଶିଳ୍ପ ମନ୍ତ୍ରୀ କଡା ପ୍ରତିକ୍ରିୟା ପ୍ରକାଶ କରି ତାଗିଦା କରିଛନ୍ତି। ଯାହା ହୋଇଯାଇଛି ତାହାକୁ ବନ୍ଦକର, ଯଦି ପିସି କାରବାର ନେଇ ପୁନର୍ବାର ଅଭିଯୋଗ ଆସେ ତେବେ ଅଭିଯୁକ୍ତ ଅଧିକାରୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ । ଏଥିସହ ୨୦୨୨ ମସିହା ବନ୍ୟା କ୍ଷୟକ୍ଷତି ର ମରାମତି କାର୍ଯ୍ୟରେ ହୋଇଥିବା ବ୍ୟାପକ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହିତ ଏକ କମିଟି ଗଠନ କରି ନିରପେକ୍ଷ ତଦନ୍ତ କରିବାକୁ କୁଜଙ୍ଗ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ପ୍ରଶାସନିକ ଅବହେଳାକୁ ଆଦୌ ବରଦାସ୍ତ କରାଯିବନି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ରୋକଠୋକ ଶୁଣାଇ ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.