ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂହ ବିଡିଏର ବରିଷ୍ଠ ଅଧିକାରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏର ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନତି ଭବନରେ ଭେଟିଥିଲେ।
ବୈଠକରେ ବିଡିଏ ର ଅଧ୍ୟକ୍ଷ ଭାବେ ମନ୍ତ୍ରୀ ଙ୍କ ନୂଆ ଦାୟିତ୍ୱ ପାଇଁ ବିଡିଏ ପ୍ରତିନିଧି ଦଳ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ବିଡିଏ ଉପାଧ୍ୟକ୍ଷ ସୁଲଭ ଆବାସ, ସଡ଼କ ନିର୍ମାଣ, ପାର୍କ ବିକାଶ, ଟାଉନ ପ୍ଲାନିଂ ଏବଂ ସମ୍ପ୍ରସାରିତ ଅଞ୍ଚଳ ପାଇଁ ବ୍ୟାପକ ଉନ୍ନୟନ ଯୋଜନା (ସିଡିପି) ସମେତ ଚାଲିଥିବା ପ୍ରକଳ୍ପ ସମ୍ପର୍କରେ ଅପଡେଟ୍ ପ୍ରଦାନ କରିଥିଲେ।
ସେମାନେ ରାଜ୍ୟ ରାଜଧାନୀର ବିକାଶ ପାଇଁ ନୂତନ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏହାବ୍ୟତୀତ ବିଡିଏ ଟିମ୍ ଓଡ଼ିଶା ଭିଜନ ୨୦୩୬ ଓ ବିକ୍ଷିତ ଭାରତ ଭିଜନ ୨୦୪୭ ଅନୁଯାୟୀ ସଂଗଠନର ପୁନର୍ଗଠନ ପାଇଁ ଆଲୋଚନା କରିଥିଲେ।
ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଭୁବନେଶ୍ବରର ସାମଗ୍ରିକ ବିକାଶ ପାଇଁ ନୂଆ ପଦକ୍ଷେପ ନେବାକୁ ବିଡିଏ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ଜମି ଜବରଦଖଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଲିଜ୍ ହୋଲ୍ଡ ସମ୍ପତ୍ତିକୁ ଫ୍ରିହୋଲ୍ଡରେ ପରିଣତ କରିବା ପାଇଁ ଏକ ସ୍ୱଚ୍ଛ, ତ୍ୱରିତ ପ୍ରକ୍ରିୟାର ଆବଶ୍ୟକତା ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ। ଏହାବ୍ୟତୀତ ବନ୍ୟା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହ ଏହାର କାରଣ ଚିହ୍ନଟ କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବିଡିଏକୁ କହିଥିଲେ ମନ୍ତ୍ରୀ । ଗଙ୍ଗୁଆ ନଦୀର ପୁନରୁଦ୍ଧାର ପାଇଁ ଯୋଜନା କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ।
ବୈଠକରେ ବିଡିଏର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ସଚିବ, ଡେପୁଟି କମିସନର (ଟାଉନ୍ ପ୍ଲାନିଂ), ଆଲଟମେଣ୍ଟ ଅଫିସର, ପ୍ଲାନିଂ ମେମ୍ବର, ଫାଇନାନ୍ସ ମେମ୍ବର, ଇଞ୍ଜିନିୟରିଂ ମେମ୍ବର, ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post