ସାରସକଣା ରୁ ଦିପୁ ମହାପାତ୍ର (ଶାସକ ପ୍ରଶାସକ): ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଇଂରାଜୀ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ବୁଦ୍ଧଦେବ କର ଅବସର ଗ୍ରହଣ କରିଛନ୍ତି। କଲେଜ ପରିସରରେ ଏକ ସଭାର ଆୟୋଜିତ ହୋଇଥିଲା ଉକ୍ତ ସଭାରେ କର୍ମଚାରୀ ସମିତିର ସଭାପତି ଡ଼ଃ ଅଶୋକ କୁମାର ଶର୍ମା ସଭାପତିତ୍ୱ କରିଥିବା ବେଳେ,ଉପ ସଭାପତି ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ, ସମ୍ପାଦକ ଡ଼ଃ ପ୍ରବୀର କୁମାର ପଟ୍ଟନାୟକ, ସହ ସମ୍ପାଦକ ଅଧ୍ୟାପିକା ପ୍ରାଚୀପ୍ରଭା ପଢ଼ିଆରୀ,ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସଂଜୀବ କୁମାର ପଟ୍ଟନାୟକ ଓ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବା ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ପ୍ରଦ୍ୟୁତ କୁମାର ପ୍ରମୁଖ ମଞ୍ଚାସିନ ଥିଲେ। ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପିକା ପ୍ରାଚୀପ୍ରଭା ପଢ଼ିଆରୀ ମଞ୍ଚାସିନ ଅତିଥୀମାନଙ୍କୁ ନିମନ୍ତ୍ରିତ କରିଥିବା ବେଳେ ସଭାପତି ଡ଼ଃ ଅଶୋକ କୁମାର ଶର୍ମା ସଭାର ଆଭିମୁଖ୍ୟ ଓ ଡ଼ଃ ବୁଦ୍ଧଦେବ କରଙ୍କ ବ୍ୟକ୍ତିତ୍ୱ ଓ ଜଣେ କର୍ମଚାରୀ ପ୍ରିୟ ସୁଶାସକ ଭାବରେ ସୀମାନ୍ତ ମହାବିଦ୍ୟାଳୟରେ ଦୀର୍ଘ ୧୯ ବର୍ଷ କାର୍ଯ୍ୟକାଳ ର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନୂତନ ଅଧ୍ୟକ୍ଷ ପ୍ରଦ୍ୟୁତ କୁମାର,ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସଂଜୀବ ପଟ୍ଟନାୟକ, କର୍ମଚାରୀ ସମିତି ସମ୍ପାଦକ ଡ଼ଃ ପ୍ରବୀର ପଟ୍ଟନାୟକ,ଉପ ସଭାପତି ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ବିଦାୟୀ ଅଧ୍ୟକ୍ଷଙ୍କ ଉନ୍ନତ ଶିକ୍ଷାଦାନ ଶୈଳୀ,ପ୍ରଗଳ୍ଭ ବକ୍ତୃତା, ଛାତ୍ର ଛାତ୍ରୀ ମାନଙ୍କ ପ୍ରତି ଶ୍ରଦ୍ଧା ଭାବ,କର୍ମଚାରୀ ମାନଙ୍କ ଭିତରେ ଭାଇଚାରା ଭାବ ,ନିର୍ଭୀକ,ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱର ଗୁଣଗାନ କରିଥିଲେ।
ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ମୟୁରଭଞ୍ଜର ସୁନାମଧନ୍ୟ ବ୍ୟକ୍ତିତ୍ୱ ଓ ପୂର୍ବତନ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘର ସଭାପତି,ସାମ୍ୟବାଦୀ ଚିନ୍ତାନାୟକ ସ୍ବର୍ଗତ ଅନନ୍ତ କୁମାର କରଙ୍କ ସୁପୁତ୍ର ଅଟନ୍ତି।ପିଲାଟି ଦିନରୁ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀଯୁକ୍ତ କର ୧୯୮୮ ମସିହାରେ ଇଂରାଜୀ ବିଷୟରେ ସ୍ନାତକୋତ୍ତର ପରେ ପି ଏଚ ଡି ଲାଭ କରିଥିଲେ।ବାଲେଶ୍ୱର ସ୍ଥିତ ବାଲିଆପାଳ ସୁବର୍ଣ୍ଣରେଖା ମହାବିଦ୍ୟାଳୟରୁ ଅଧ୍ୟାପନା ଜୀବନ ଆରମ୍ଭକରି ୧୯୯୭ ରେ ଦୀନକୃଷ୍ଣ ମହାବିଦ୍ୟାଳୟ ଓ ୨୦୦୫ ମସିହାରେ ସୀମାନ୍ତ ମହାବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ।ସୀମାନ୍ତ ମହାବିଦ୍ୟାଳୟରେ ଦୀର୍ଘ ୧୯ ବର୍ଷ ଅଧ୍ୟାପନା ଜୀବନ ଭିତରେ ସୀମାନ୍ତ ମହାବିଦ୍ୟଳୟର ନବକଳେବର ରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।ଆଜି ତାଙ୍କ ଅବସର ସଭାଟି ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା।ଦୀର୍ଘ ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ସଭାରେ ପ୍ରାୟ ସମସ୍ତ କର୍ମଚାରୀ ବିଦାୟୀ ଅଧ୍ୟକ୍ଷଙ୍କ ସହ ନିଜ ନିଜର ସ୍ମୃତିଚାରଣ କରିଥିଲେ।ପରିଶେଷରେ ଅଧ୍ୟକ୍ଷ ଡ଼ଃ କର ନିଜ କର୍ମମୟ ଜୀବନର ସ୍ମୃତି କର୍ମଚାରୀ ମାନଙ୍କୁ ବାଣ୍ଟିବା ସହିତ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ମିଳିମିଶି କାର୍ଯ୍ୟ କରିବାକୁ ନିବେଦନ କରିଥିଲେ। ଡ଼ଃ କର ଜଣେ ସାଲିସ ବିହୀନ ଦକ୍ଷ ,ପ୍ରବୀଣ ଅଧ୍ୟାପକ ଓ ପ୍ରଶାସକ ଥିଲେ ତାଙ୍କ ଅନୁପସ୍ଥିତି ସମସ୍ତ କର୍ମଚାରୀ ଅନୁଭବ କରିବେ ବୋଲି ନୂତନ ଅଧ୍ୟକ୍ଷ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସହ ସମ୍ପାଦିକା ପ୍ରାଚୀପ୍ରଭା ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ।