ରାଉରକେଲା, (ବସନ୍ତ କୁମାର ଜେନା): ସହରର ୨୫ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ତରଫରୁ ନାଟ୍ୟ ଆଲୋଚନାଚକ୍ର ସେକ୍ଟର ୭ସ୍ଥିତ ମଧୁ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ପରୀପ୍ରେକ୍ଷୀରେ ସ୍ବତନ୍ତ୍ର ନାଟ୍ୟ ଆଲୋଚନାଚକ୍ର ” ନବନାଟ୍ୟ ଆନ୍ଦୋଳନର ନାୟକ ମନୋରଞ୍ଜନ” ସମ୍ପର୍କରେ ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ ଇଂ ଭାରତ ଭୂଷଣ ମହାନ୍ତି ଓ ସ୍ବତନ୍ତ୍ର ଅତିଥି ତଥା ସମ୍ବର୍ଦ୍ଧିତ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଯୋଗଦେଇ ଥିଲେ। ଏକତ୍ରର ସଭାପତି ରାଜୀବ ପାଣିଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁଦେଶ ନାୟକଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଆଲୋଚକ ଭାବେ ପ୍ରଫେସର ଡ ସମର ମୁଦାଲି ଓ ଡ ସଞ୍ଜୟ ହାତୀ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଡ ମୁଦାଲି ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟ୍ୟକାର ମନୋରଞ୍ଜନ ଦାସ ନବନାଟ୍ୟ ଆନ୍ଦୋଳନର ପୁରୋଧା। ଓଡ଼ିଆ ନବନାଟକର ପ୍ରବର୍ତ୍ତକ। ଆଧୁନିକ ନାଟକର ଜନକ। ସେ ୧୯୪୯ ମସିହା ପର୍ଯ୍ୟନ୍ତ ଯେଉଁ ନାଟ୍ୟ ଧାରା ଚାଲିଥିଲା, ସେହି ଧାରାକୁ ପରିବର୍ତ୍ତନ କରି ପାଶ୍ଚାତ୍ୟ ଶୈଳୀରେ ଓଡ଼ିଆ ନାଟକକୁ ପରୀକ୍ଷା ନିରୀକ୍ଷା କରି ବିଷୟବସ୍ତୁ, ଚରିତ୍ର, ସଂଳାପ, ସଂଗୀତ,ଆଲୋକ, ମଞ୍ଚ ଶୈଳୀରେ ନୂତନତା ଆଣିଥିଲେ। ଅନ୍ୟ ତମ ଆଲୋଚକ ଡ ହାତୀ ପଦ୍ମଶ୍ରୀ ମନୋରଞ୍ଜନଙ୍କ କାଠଗଡା ଓ ଆଗାମୀ ନାଟକକୁ ଆଲୋଚନା କରିଥିଲେ। ସେ ଓଡ଼ିଆ ନାଟକକୁ ନୂତନ ଧାରା ଓ ତାଙ୍କ ନାଟକରେ ପାଶ୍ଚାତ୍ୟ ପ୍ରଭାବ ରହିଛି ବୋଲି ମତ ରଖିଥିଲେ। ମୁଖ୍ୟଅତିଥି ଇଂ ମହାନ୍ତି ନାଟ୍ୟକାର ମନୋରଞ୍ଜନ ଙ୍କୁ ନାଟ୍ୟ ଜଗତର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ସହ ତାଙ୍କ ରଚିତ ନାଟକ ସମାଜରେ ନବଜାଗରଣ ସୃଷ୍ଟି କରିଥିଲା ବୋଲି ମତ ରଖିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଆଲୋକ ରଞ୍ଜନ ବୋଷ ଅତିଥି ମାନଙ୍କ ପରିଚୟ ଓ ସମ୍ପାଦକ ଶ୍ରୀ ନାୟକ ପ୍ରାକ୍ କଥନ ସହ ମଞ୍ଚ ସଂଯୋଜନା କରିଥିଲେ। ସଭାପତି ଶ୍ରୀ ପାଣି କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ବର୍ଦ୍ଧିତ ଅତିଥି ବିଧାୟକ ଶ୍ରୀ ନାୟକ ଏକତ୍ର ର ଐକ୍ୟବଦ୍ଧତା ଓ ନାଟକ ପ୍ରତି ପ୍ରତିବଦ୍ଧତା କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲେ। ଉପସଭାପତି ରମେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲାବେଳେ କନକଲତା ଦାସ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରବୀର ଜେନା,ଶରତ ଶଙ୍ଖୁଆ, କିଶୋରୀ ମୋହନ କର, ଅକ୍ଷୟ ଧଳ,ବିଲୋଚନ ପାତ୍ର, ବବିତା ମହାଳିକ,ନୀତା ଗୋସ୍ବାମୀ, ଅରୁନ୍ଧତୀ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଆଲୋଚନାଚକ୍ରରେ କଳିଙ୍ଗ କଳା ପରିଷଦ, ପ୍ରତିଧ୍ଵନି, ପଞ୍ଚମ ବେଦ, ସଂକଳ୍ପ , ସମ୍ପର୍କ,ମହୁମାଛି, ସ୍ପନ୍ଦନ, ରଙ୍ଗମଞ୍ଚ, ଆମେ ନାଟୁଆ, ସ୍ବସ୍ତି ଝଙ୍କାର,ପ୍ରୟାସ,କଲଚରାଲ ଏକାଡେମୀ, ନାୟିକା ରାଉରକେଲା, ତିତିଲି, ପ୍ରଗତି ଉତ୍କଳ ସଂଘ, ନଟରାଜ ନୃତ୍ୟ ପରିଷଦ,ସାରନା ନବ ଯୁବକ ସଂଘ, ଉତ୍କଳୀ ସାଂସ୍କୃତିକ ଶିଳ୍ପୀ, ପରିଚୟ, କୋଶଲ ନାଟକ ପରିଷଦ,କଳାକାର ଏକତା ମଞ୍ଚ, କୋଏଲ କ୍ଲବ୍,ଦି ବିଲିଭର୍ସ, କସ୍ତୁରୀ ଓ ଉପହାର ର କର୍ମକର୍ତ୍ତାଙ୍କ ସହ ଶତାଧିକ ନାଟ୍ୟ ପ୍ରେମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post