ମୋହନା ନିର୍ବାଚନ ମଣ୍ଡଳୀକୁ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୯୭ ଟି ପୋଲିଂ ପାର୍ଟି ଗଲେ ଗନ୍ତବ୍ୟ ସ୍ଥଳକୁ

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ଠାରୁ ଆଜି [ଶନିବାର ଦିନ] ମୋହନା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ରକୁ ମତଦାନ କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୯୭ ଟି ପୋଲିଂ ପାର୍ଟି ଗଲେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନସ୍ଥ ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଆସନ୍ତା ୧୩ ତାରିଖ ଦିନ ସାଧାରଣ ନିର୍ବାଚନ ଅବସରରେ ମତଦାନ କାର୍ଯ୍ୟ ଅନୁଷ୍ଠିତ ହେବ।
ସେଥିପାଇଁ ଆଜି ସକାଳେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟି କୁ ସେମାନଙ୍କ ମତଦାନ କେନ୍ଦ୍ର ତଥା ଗନ୍ତବ୍ୟ ସ୍ଥଳକୁ ପଠାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୋଲିଂ ପାର୍ଟ ନିର୍ବାଚନର ମତଦାନ ସଂକ୍ରାନ୍ତୀୟ ସମେତ ମେଟେରିଆଲ ଓ ଭୋଟିଂ ମେସିନ ନେବାପରେ ସେଗୁଡିକୁ ଟିକିନିଖି ଯାଞ୍ଚ କରି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଭେହିକଲ ଯୋଗେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି।
ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ଯେ , ଆସନ୍ତା ୧୩ ତାରିଖ ଦିନ ଯେଉଁ ନିର୍ବାଚନ ତଥା ମତଦାନ ଅନୁଷ୍ଠିତ ହେବ , ସେଥିପାଇଁ ମୋହନା ନିର୍ବାଚନ ମଣ୍ଡଳୀରେ ସକାଳ ୭ ଟା ଠାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ ଟା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଅନୁଷ୍ଠିତ ହେବ।
ମୋହନା ନିର୍ବାଚନ ମଣ୍ଡଳୀର ଅଧିକାଂଶ ଅଞ୍ଚଳ ଦୂର ଦୁରାନ୍ତ ଓ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ। ସେଥିପାଇଁ ସେଠାକାର ୨୯୭ ଟି ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଥିବା ୨୯୭ ଟି ପୋଲିଂ ପାର୍ଟି କୁ ଆଗୁଆ ୨ ଦିନ ପୂର୍ବରୁ ପଠା ହେଉଛି। ଏଥି ନିମନ୍ତେ ନିର୍ବାଚନ ତଥା ମତଦାନ ସଂକ୍ରାନ୍ତୀୟ ସମସ୍ତ ମେଟେରିଆଲ୍ସ , ଭୋଟିଂ ମେସିନ ଓ ଭେହିକଲ୍ ଟାଗିଂ ହେବା ପରେ ପ୍ରତି ମତଦାନ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ତାଙ୍କ ଟିମକୁ ସାଙ୍ଗରେ ନେଇ ତାଙ୍କ ଗନ୍ତବ୍ୟ ସ୍ଥଳରେ ଆଜି ସନ୍ଧ୍ୟା ସୁଦ୍ଧା ପହଞ୍ଚିବା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିୟୋଜିତ ଥିବା ସେକ୍ଟର ଅଫିସର ମାନେ ସେମାନଙ୍କୁ ତଦାରଖ କରୁଛନ୍ତି । ଏତଦ୍ ବ୍ୟତୀତ ସମସ୍ତ ବ୍ଲକ୍ ବିଡ଼ିଓ ଓ ତହସିଲଦାର ମାନଙ୍କୁ ମଧ୍ୟ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଆଶା , ସମସ୍ତଙ୍କ ସହଯୋଗ ଓ ସଦ-ଇଚ୍ଛାରେ ଏହି ସାଧାରଣ ନିର୍ବାଚନ କାର୍ଯ୍ୟ ସୁଚାରୁରୂପେ ତୁଲାଇବାରେ ବିଶେଷ ସହାୟକ ହୋଇପାରିବୁ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.