ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂତୃପ୍ତଙ୍କ ପ୍ରାର୍ଥୀପତ୍ର ଦାଖଲ
କଟକ,୩ ।୪: (ରଞ୍ଜିତ ମହାପାତ୍ର )କଟକ ଲୋକସଭା ଆସନ ପାଇଁ ବିଜେଡି ପକ୍ଷରୁ ଡଃ ସଂତୃପ୍ତ ମିଶ୍ର ଆଜି ନାମାଙ୍କନ ପତ୍ର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି । ସଂତୃପ୍ତ ପୂର୍ବାହ୍ଣରେ ସିଡିଏ ସେକ୍ଟର-୧୦ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଏକ ବିରାଟ୍ ରୋଡ୍ ସୋ’ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ସେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଶୋଭାଯାତ୍ରାରେ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ସାମିଲ ଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଆଠଗଡ ବିଜେଡି ବିଧାୟକ ପ୍ରାର୍ଥୀ ରଣେନ୍ଦ୍ରପ୍ରତାପ ସ୍ୱାଇଁ, ସଦର ବିଜେଡ଼ି ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥି ବେହେରା, ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ମେୟର ସୁବାସ ସିଂ ଉପସ୍ଥିତ ଥିଲେ ।
ପ୍ରାର୍ଥୀପତ୍ର ଦାଖଲ ପରେ ସଂତୃପ୍ତ କହିଲେ ଯେ, କଟକରେ ସତ୍ୟ ସହିତ ତଥ୍ୟ’ର ଓ ମିଥ୍ୟା ସହିତ ପ୍ରତାରଣା’ର ଲଢେଇ ହେବ । ମୁଖ୍ୟମନ୍ତ୍ରୀଙ୍କ ସତ୍ୟ, ଧର୍ମ ଓ ବିକାଶର ବାସ୍ତବ ଚିତ୍ର ହିଁ ଜନମାନସରେ ପ୍ରତିଫଳିତ ହେଉଥିବା ଦେଖା ଯାଉଛି । କଟକର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତ, ଆଦର୍ଶ ଓ ରୂପାନ୍ତରଣକୁ ହୃଦୟଙ୍ଗମ କରି ଆଗେଇ ଆସିଛନ୍ତି । ଯାହାର ଚିତ୍ର ଘରେ ଘରେ ଦେଖିବାକୁ ମିଳୁଛି । ଏଥର କଟକ ମାଟିରେ ସେ ବିପୁଳ ମତଦାନରେ ବିଜୟ ଲାଭ କରିବି ବୋଲି ସଂତୃପ୍ତ ଆଶାବ୍ୟକ୍ତ କରିଥିଲେ ।
ସିଡିଏସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସଂତୃପ୍ତ ମାଲ୍ୟର୍ପଣ କରି ଏକ ବିରାଟ୍ ପଟୁଆରରେ ବାହାରିଥିଲେ । ସାଥିରେ ୭ଟି ନିର୍ବାଚନମଣ୍ଡଳୀର ହଜାର ହଜାର ବିଜେଡି କର୍ମୀ ବାଇକ୍ ଓ କାର୍ରେ ଆସିଥିଲେ । ସଂତୃପ୍ତଙ୍କ ରାଲି ଜୁଡିସିଆଲ୍ ଏକାଡେମୀ ଛକରେ ପହଞ୍ôଚବା ପରେ ତାଙ୍କୁ ଶୁଭେଚ୍ଛୁ ଓ କର୍ମୀମାନେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସଂତୃପ୍ତ ମିଶ୍ର ଜିନ୍ଦାବଦ୍…ଶଙ୍ଖ ଚିହ୍ନ ଜିନ୍ଦାବାଦ୍…ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରାରେ ରୋଡ୍ ସୋ’କମ୍ପି ଉଠିଥିଲା । ବିଜେଡି କର୍ମୀଙ୍କ ସ୍ଲୋଗାନ୍ ଓ ନାରା’ ସହିତ ରିଂବନ୍ଧ ଲୋକାରଣ୍ୟ ହୋଇ ପଡ଼ିଥିଲା । ରିଂବନ୍ଧରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶୋଭାଯାତ୍ରା ଆସିଥିଲା । ଏହାପରେ ସଂତୃପ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।