“ଯାହା ଉପରେ ନିଜ ଦଳ ବିଶ୍ବାସ କରିପାରିଲା ନାହିଁ, ତାଙ୍କ ଉପରେ କ’ଣ ସମ୍ବଲପୁରବାସୀ ଭରସା କରିବେ?”
ଭୁବନେଶ୍ୱର ; ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ବରଷିବା ପରେ ସାମାଜିକ ଗଣାମଧ୍ୟମରେ ଶ୍ରୀ ପ୍ରଧାନଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ବବି ଦାସ |
ବବି ତାଙ୍କ X ହାଣ୍ଡଲ ରେ ଉଲ୍ଲେଖ କରିଛନ୍ତି ” ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୦ ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଲେ, ହେଲେ ତାଙ୍କ ନିଜ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ନାହିଁ। କାରଣ ସେ ଦଳର ବିଶ୍ୱାସ ହରାଇଛନ୍ତି। ତାଙ୍କ ଦଳ ଜାଣିଛି, ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହୋଇଯିବ, ବିଧାନସଭାରେ ସେମାନଙ୍କର ଆସନ ସଂଖ୍ୟା ୧୦ରୁ ତଳକୁ ଖସିଆସିବ।
ଶ୍ରୀ ପ୍ରଧାନ, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ଲଢିବାକୁ ୧୦ ବର୍ଷ ଧରି ଯଥାସମ୍ଭବ ଉଦ୍ୟମ କଲେ। ହେଲେ ସେଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ, ନିଜ ପଞ୍ଚାୟତ, ବ୍ଲକ୍ ଆଉ ଜିଲ୍ଲାପରିଷଦରେ ହାରିଲେ। ସେଥିରୁ ସେ ଜାଣିପାରିଲେ ଢେଙ୍କାନାଳରୁ ଲଢିଲେ ଜିତିବା ଅସମ୍ଭବ। ଖାସ୍ ଏଥିପାଇଁ ସେ ସମ୍ବଲପୁର ଆସିଲେ।ଭାରତବର୍ଷର ସେ ହେଉଛନ୍ତି ଏକମାତ୍ର ରାଜନେତା, ଯିଏ ନିର୍ବାଚନରେ ନ’ଜିତି ମଧ୍ୟ ତାଙ୍କ ବିରୋଧରେ ଜନମତ ରହିଛି। ଯାହା ଉପରେ ନିଜ ଦଳ ବିଶ୍ବାସ କରିପାରିଲା ନାହିଁ, ତାଙ୍କ ଉପରେ କ’ଣ ସମ୍ବଲପୁରବାସୀ ଭରସା କରିବେ? ସମ୍ବଲପୁରବାସୀ ସତର୍କ ହେବେ ଏବଂ ନିଜର ବହୁମୂଲ୍ୟ ମତ ଉଚିତ ଜାଗାରେ ବ୍ୟକ୍ତ କରିବେ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ “ଯେତେବେଳେ ଶ୍ରୀ@dpradhanbjp ନିର୍ବାଚନ ଲଢ଼ିବା ପାଇଁ ସ୍ଥିର କଲେ ମିଶନ ଶକ୍ତି ମା’ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଲେ। ଆଉ ଯେବେ ସେ ନାମାଙ୍କନ ଦାଖଲ କଲେ ମିଶନ ଶକ୍ତି ସଚିବ, କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯଦି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତନ୍ତି, ସେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୂରା ବନ୍ଦ କରିଦେବେ। ଏ ଅସମ୍ମାନର ଜବାବ ଓଡ଼ିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ଏଥର ନିଶ୍ଚୟ ଦେବେ।“