-
ଟିକେଟ ପାଇ, ଭୁବନେଶ୍ବର ପହଞ୍ଚିବା ପରେ ନିଜର ଲକ୍ଷ ସ୍ପଷ୍ଟ କଲେ ଅପରାଜିତା
-
ମୋଦିଙ୍କୁ ପୁଣିଥରେ ଆଣିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ଦେଲେ ଆହ୍ବାନ
ଭୁବନେଶ୍ୱର ତା୨୭-୦୩ , ଆଗାମୀ ନିର୍ବାଚନ ପାଇଁ ଭୁବନେଶ୍ୱର ଲୋକସଭା ଆସନ ରେ ବର୍ତ୍ତମାନର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅମିତ୍ ସାହା, ନଡ୍ଡା ଜୀଙ୍କ ଭଳି ବରିଷ୍ଠ ନେତୃତ୍ୱ, ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଗତ ୫ବର୍ଷରେ ଭୁବନେଶ୍ୱର ବାସୀଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ଯୋଗୁଁ ସେ ଆସ୍ଥାଭାଜନ ହୋଇଥିବାରୁ ଏ ଟିକେଟ ସମଗ୍ର ଭୁବନେଶ୍ୱର ବାସୀଙ୍କୁ ଉତ୍ସର୍ଗ କରିଛନ୍ତି ସାଂସଦ। “ମୋ ପାଇଁ ଭୁବନେଶ୍ୱର ବାସୀ ନିର୍ବାଚନ ଲଢ଼ିବେ” ବୋଲି କହିବା ସହିତ ବୁଧବାର ସକାଳେ ଭୁବନେଶ୍ୱର ପହଞ୍ଚିବା ପରେ ଆଗାମୀ ନିର୍ବାଚନୀ ଲକ୍ଷ ଆଦି ବାବଦରେ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ।
ଦିନ ପ୍ରାୟ ସାଢେ଼ ଏଗାରଟା ବେଳେ ଭୁବନେଶ୍ୱର ସାଂସଦ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚିବା ପରେ ଭୁବନେଶ୍ୱର ବାସୀଙ୍କ ତରଫରୁ ତାଙ୍କୁ ସେଠାରେ ଭବ୍ୟ ସ୍ବାଗତ କରାଯାଇଥିଲା। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ପଦଯାତ୍ରା କରି ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଆସିବା ସହିତ ବାବା ଲିଙ୍ଗରାଜ ଙ୍କ ଆଶୀର୍ବାଦ ନେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ବାବା ଲିଙ୍ଗରାଜ ଓ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ବି କାର୍ଯ୍ୟ ସମ୍ଭବ ନୁହେଁ ବୋଲି କହିବା ସହିତ ବିଗତ ୫ ବର୍ଷରେ ଭୁବନେଶ୍ୱର ଓ ଭୁବନେଶ୍ୱର ବାସୀଙ୍କ ପାଇଁ ଅନେକ କାମ କରିଥିବା ଓ ଅନେକ କିଛି କରିବାକୁ ବାକିଥିବା କହିଛନ୍ତି ଅପରାଜିତା। ବିକାଶ ର କୌଣସି ଦଳ ନଥିବା କଥା କୁ ପୁଣି ଦୋହରାଇବା ସହିତ ଭୁବନେଶ୍ୱର ର ଡ୍ରେନେଜ୍ ବ୍ୟବସ୍ଥା ର ସୁଧାର, ସମସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କଂକ୍ରିଟ ଛାତ,ଜଳ ଜୀବନ ମିଶନ ରେ ସମସ୍ତଙ୍କ ପାଇଁ ବିଶୁଦ୍ଧ ଜଳ,ବିଜୁଳି, ରୋଡ, ଗ୍ୟାସ୍ ସିଲିଣ୍ଡର୍,ଯଥେଷ୍ଟ ଆଧାର ବୁଥ୍ ନିର୍ମାଣ ଆଦି କୁ ଗୁରୁତ୍ଵ ଦେବେ ବୋଲି କହିଛନ୍ତି ଅପରାଜିତା। ଗତ ୫ ବର୍ଷରେ ସମସ୍ତ ବର୍ଗଙ୍କ ପାଇଁ ସେ କାମ କରିଛନ୍ତି। କାରଣ ସମସ୍ତଙ୍କର ଆସ୍ଥା ବିଶ୍ୱାସ ଜିତିବା ତାଙ୍କର ଲକ୍ଷ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।
ଓଡ଼ିଶାର ଏକମାତ୍ର ସାଂସଦ ଭାବରେ ବିଗତ ୫ ବର୍ଷ ରେ ପ୍ରତିବର୍ଷ ନିଜ କାର୍ଯ୍ୟର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଅପରାଜିତା। ତେବେ ପ୍ରଧାନମନ୍ତ୍ରୀଙ୍କ ଚାରୋଟି ସ୍ତମ୍ଭ ଚାଷୀ, ଯୁବକ, ମହିଳା ଓ ଗରିବ ମାନଙ୍କ ଉନ୍ନତି ପାଇଁ ସେ କାମ କରିବା ସହିତ ସ୍ୱତନ୍ତ୍ରତା ର ୧୦୦ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୨୦୪୭ ସୁଦ୍ଧା ବିକଶିତ ଭାରତ ର ଲକ୍ଷ ରେ ଭୁବନେଶ୍ୱରକୁ, ପୂର୍ବ ଭାରତର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ କ୍ଷେତ୍ର ରୂପେ ଗଢିତୋଳିବା ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି ଅପରାଜିତା। ତେବେ ଏହି ଅବସରରେ ବିଜେଡ଼ି କୁ ଆକ୍ଷେପ କରିବାକୁ ଭୂଲିନଥିଲେ ସାଂସଦ ଅପରାଜିତା। ତାଙ୍କର ପ୍ରତିଦ୍ବନ୍ଦୀ ଭାବରେ ଜଣେ ମହିଳାଙ୍କୁ ଉପସ୍ଥାପନ କରାଯାଉଥିବା ବେଳେ ଶେଷ ସମୟ ରେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଟିକେଟ ଦେବା କୁ ବିଜେଡ଼ି ର ମହିଳାଙ୍କ ପ୍ରତି ଘୋର ଅପମାନ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପ୍ରସିଦ୍ଧ ଚଳଚ୍ଚିତ୍ର “ଶୋଲେ” ର ଗବର ସିଂ ଙ୍କ ଡାଏଲଗ “ଜୋ ଡରଗୟା ୱ ମର୍ ଗୟା” ଉକ୍ତି କୁ ଦୋହରାଇ ବିଜେଡ଼ି କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।