ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ – ଏଏସପି
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି – ନିର୍ବାଚନ ଆଚରଣ ବିଧିକୁ ପୁଲିସ ପ୍ରଶାସନ ପକ୍ଷରୁ କଢାକଢି ରୂପେ ପାଳନ କରିବାକୁ ହେବ । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପୁଲିସର ପ୍ରାଥମିକତା । ରବିବାର ରାୟଗଡ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ଟାଉନ ହଲଠାରେ ଆୟୋଜିତ ଉପଖଣ୍ଡସ୍ତରୀୟ ପୁଲିସ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ରୁପେ ଯୋଗ ଦେଇ ରାୟଗଡା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ଏହା କହିଥିଲେ। ୨୦୨୪ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଜାରି କରିଥିବା ବିଭିନ୍ନ ନିୟମାବଳି ଓ ଆଇନ ଉପରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ଅବଗତ କରିଥିଲେ। ଅପରାଧ ରୋକିବାକୁ ଦୀର୍ଘଦିନ ହେଲା ପଳାତକ ଓ ଜାମିନ ବିହୀନ ଅଭିଯୁକ୍ତଙ୍କୁ ତୁରନ୍ତ ଗିରିଫ କରିବାକୁ ପୁଲିସ ଅଧିକା ତତ୍ପରତା ଦେଖାଇବାବୁ ଏଏସପି ଶ୍ରୀ ପାତ୍ର ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବୁଥସ୍ତରରେ ନିର୍ବାଚନ ପରିଚାଳନା, ଗାଡି ଗୁଡିକ ଯାଞ୍ଚ ଓ ପେଟ୍ରୋଲିଂ ପର୍ଯ୍ୟନ୍ତ କଣ କରିବାକୁ ହେବ ପୁଲିସ କର୍ମଚାରୀଙ୍କୁ ଟିକିନିକି ବିବରଣୀ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଣପୁର, ପଦ୍ମପୁର, ଗୁଡ଼ାରୀ ଓ ରାମନାଗୁଡା ଥାନା ଅଞ୍ଚଳର ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଯାଇଥିଲା। ସେହିପରି ପାୱାର ପଏଣ୍ଟ ଜରିଆରେ ନିର୍ବାଚନ କମିଶନଙ୍କ ବିଭିନ୍ନ ନିର୍ଦେଶନାମାକୁ ପ୍ରଦର୍ଶିତ କରିଥିଲେ। ଏହି ଅବସରରେ ପୁଲିସ କର୍ମଚାରୀଙ୍କ ବିଭିନ୍ନ ପ୍ରଶ୍ନ ଓ ସନ୍ଦେହକୁ ଉତ୍ତର ଦେଇ ଦୂର କରିଥିଲେ। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ନିର୍ଦେଶରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷରେ ଏସଡ଼ିପିଓ ବାବୁଲି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୁଣପୁର ଆଇଆଇସି ଉତ୍ତମ କୁମାର ସାହୁ,ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝି ,ଗୁଡ଼ାରୀ ଆଇଆଇସି ସଂପ୍ରୀତା ସ୍ବାଇଁ ,ରାମନାଗୁଡା ଆଇଆଇସି ଜଳନ୍ଧର ସେଠୀ ଯୋଗଦେଇଥିବା ବେଳେ ଗୁଣପୁର ଥାନା ସବ ଇନ୍ସପେକ୍ଟର ରଞ୍ଜିତ ତ୍ରିପାଠୀ, ଇନ୍ସପେକ୍ଟର ଲକ୍ଷ୍ମୀ ପରଜା, ଏଏସଆଇ ଅଶୋକ କୁମାର ପାଢୀ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।