୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ପୋଲିଂ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ତାଲିମ ।

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ସାଧାରଣ ଓ଼ ଓଡିଶା ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ପ୍ରଥମ ପର୍ଯ୍ୟାୟରେ ଗୁଣପୁର ମହାବିଦ୍ୟାଳୟର ୦୪ଟି କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌରଙ୍କ ତତ୍ୱବଧାନରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଜି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ମଙ୍ଗଳ ଅଧିକାରୀ ସୁରଜ ନାୟକ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ଡିସ୍ପର୍ଶଲ କେନ୍ଦ୍ରରୁ ବୁଥ ପର୍ଯ୍ୟନ୍ତ ଯିବେ, ବୁଥରେ କେଉଁ ଅଧିକାରୀଙ୍କ କଣ କାର୍ଯ୍ୟ ତାହା ବୁଝାଇ ଥିଲେ । ଇଭିଏମ ସଂଯୋଗୀକରଣ, ଭିଭିପାଟ ବିଷୟରେ ସଚେତନ, ମୋକ ପୋଲ, ଚିହ୍ନିତ ଭୋଟର ତାଲିକା ଆଦି ବିଷୟରେ ସରଳ ଭାବେ ଟ୍ରେନିଂ ଦେଇଥିଲେ । ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକ୍ରିୟା କିପରି କରି ପାରିବେ, ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରତି ଦୁଇ ଘଣ୍ଟାକୁ ଥରେ ଭୋଟ ଗ୍ରହଣ ବିଷୟରେ ସୂଚନା ଦେବାକୁ ତାଲିମ ପ୍ରଦାନ କରିଥିଲେ । ପ୍ରତ୍ୟେକ ପୋଲିଂ ଅଧିକାରୀ ଭୋଟ ଗ୍ରହଣ ଦିନ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୁପେ ସମ୍ପାଦନ କରିବାରେ ସଫଳ ହେଲେହିଁ ଗଣତନ୍ତ୍ରର ନିର୍ବାଚନ ଭଳି ପବିତ୍ର କାର୍ଯ୍ୟ ନିର୍ବାଚନ ସଫଳ ହୋଇ ପାରିବ ବୋଲି ଉପ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ରାୟଗଡ ନିହାର ରଞ୍ଜନ କହଁର, ଗୁଣପୁର ପ୍ରକଳ୍ପ ପ୍ରଶାସକ ଶାନ୍ତି ପ୍ରଭା ପ୍ରଧାନ ପ୍ରମୁଖ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ ଓ 15 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ତାଲିମ କାର୍ଯ୍ୟକ୍ରମ 18 ତାରିଖ ପର୍ଯ୍ୟନ୍ତ ସକାଳ 9.30 ରୁ ସନ୍ଧ୍ୟା 5 ଘଟିକା ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଥିଲେ । ବ୍ଲକ, ତହସିଲ, ପୌର କାର୍ଯ୍ୟାଳୟର କର୍ମଚାରୀ ତାଲିମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

 

Leave A Reply

Your email address will not be published.