ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟା,ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ ପ୍ରଦାନ ସହ ମଞ୍ଚସ୍ଥ ହେଲା ନାଟକ ‘ଶୁଖିଲା ସମୁଦ୍ର’

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଗତ ସାତଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟ୍ୟମେଳାର ଅନ୍ତିମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ସାମାଜିକ ଓ ପାରିବାରିକ ସମସ୍ୟା ଭିତ୍ତିକ ନାଟକ ‘ଶୁଖିଲା ସମୁଦ୍ର’ । ଅଳ୍ପ ଦରମା ପାଉଥିବା ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମଣିଷଟିଏ ପରିବାର ଭରଣ ପୋଷଣ ପାଇଁ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ପରିବାରର ପୁଅଝିଅ ବଡ଼ ହୋଇ ଉଚ୍ଚ ଶିକ୍ଷିତ ହେଲା ପରେ ବେକାର ରହିବା ସ୍ଥିତିକୁ ଆହୁରି ଭୟାନକ କରିଛି । ସେଇ ପୁଅଝିଅ ନିଜର ଗରୀବିକୁ ଉପହାସ କରି ତା’ ବିରୁଦ୍ଧରେ ପାରିବାରିକ ବିଦ୍ରୋହ ଆରମ୍ଭ କରିଛନ୍ତି । ଏପରି ପରିସ୍ଥିତିରେ ପରିବାର ମୁଖ୍ୟର ଅବସ୍ଥା କିପରି ସଙ୍ଗୀନ ହୋଇଛି ତାହାର ଏକ ବାସ୍ତବ ଚିତ୍ର ଉପସ୍ଥାପନ କରାଯାଇଥିଲା ଏହି ନାଟକ ମାଧ୍ୟମରେ ଯାହାକି ଦର୍ଶକ ମାନଙ୍କୁ କିଛି ସମୟ ପାଇଁ ଭାବ ବିହ୍ୱୋଳ କରି ଦେଇଥିଲା । ନାଟ୍ୟସଂସ୍ଥା କଳାକାର,ଅନୁଗୋଳ ପକ୍ଷରୁ ପରିବେଶିତ ଏହି ନାଟକକୁ ରଚନା କରିଥିଲେ ଡା.ଶିବ କୁମାର ରଥ ଏବଂ ନିର୍ଦ୍ଦେଶନା ଦେଇଥିଲେ ଡ.କୃଷ୍ଣଚନ୍ଦ୍ର ଦାଶ । ନାଟ୍ୟଧାରା,ନୟାଗଡ଼ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଅନୁକୁଲ୍ୟରେ ଆୟୋଜିତ ଏହି ନାଟକ ମହୋତ୍ସବର ଶେଷ ଦିବସରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ନୟାଗଡ଼ ଆରକ୍ଷୀ ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଭାବେଶ କୁମାର ନାୟକ ଏବଂ ସମ୍ମାନିତ ଅତିଥିଭାବେ ଯୁବ ଶିଳ୍ପଦ୍ୟୋଗୀ ତାପସ କୁମାର ପାଢ଼ୀ ଯୋଗଦାନ କରିଥିଲେ । ଏହି ଅବସରରେ ଜିଲ୍ଲାର ଦୁଇଜଣ ବିଶିଷ୍ଟ କଳାକାରଙ୍କୁ ଜନାର୍ଦ୍ଦନ ମିଶ୍ର ନାଟ୍ୟସମ୍ମାନ-୨୦୨୪ରେ ସମ୍ମାନିତ କରାଯାଇଥିଲା । ଦଶପଲ୍ଲା ଅଞ୍ଚଳର ବିଶିଷ୍ଟ ରାମଲୀଳା ଗୁରୁ ମଦନ ମୋହନ ସିଠ ଏବଂ ମା’ଚିତ୍ରାଳୟ,ଇଟାମାଟିର ପୀତବାସ ମାନସିଂହଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରାଯାଇ ଏହି ନାଟ୍ୟସମ୍ମାନ ଦିଆଯାଇଥିଲା । ଉଦଯାପନୀ ଦିବସରେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର,ନାଟ୍ୟ ନିର୍ଦ୍ଦେଶକ ଡ,ବିଜୟ କୁମାର ଚୌଧୁରୀଙ୍କ ସମେତ ନାଟ୍ୟଧାରା ପରିବାର ପକ୍ଷରୁ ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ ଦାଶ,ପ୍ରଶାନ୍ତ ପଟ୍ଟନାୟକ,ଅଶୋକ ମଲ୍ଲ,ରାକେଶ ଦାସ,ଜିତେନ୍ଦ୍ର କୁମାର ଚୌଧୁରୀ,ପ୍ରଦୀପ ଡାକୁଆ,ଉମାକାନ୍ତ ମିଶ୍ର,ନୀଳକଣ୍ଠ ଦାଶ,ନିଶିକାନ୍ତ ମହାପାତ.ଜୟଶ୍ରୀ ଦେବୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.