ଭୁବନେଶ୍ୱର : ” ଟିପିସିଓଡିଏଲ ରେ ଠିକା କର୍ମଚାରୀଙ୍କ ସଂଖ୍ୟା ୨୦୨୦ ମସିହାରେ ପ୍ରାୟ ୬,୦୦୦ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ୧୫,୩୦୦ ରେ ପହଞ୍ଚିଛି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ।କେବଳ ୩୭୪ ଜଣଙ୍କୁ ପୁନଃ ନିୟୋଜନ ପାଇଁ ଚିହ୍ନଟ କରାଯାଇଛି, ଯେଉଁଥିରୁ ପ୍ରାୟ ୨୦୦ ଜଣ କର୍ମଚାରୀ ପୂର୍ବରୁ ହିଁ ନୂତନ ସ୍ଥାନକୁ ଯାଇସାରିଛନ୍ତି”ବୋଲି ଟିପିସିଓଡିଏଲ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି |
ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଟାଟା ପାୱାର ଓଡିଶା ଡିଷ୍ଟ୍ରିବ୍ୟୁସନ ବିଜିନେସ ମୁଖ୍ୟ ଗଜାନନ ଏସ କାଲେ କହିଛନ୍ତି ଯେ ” ଟାଟା ପାୱାର ଓଡ଼ିଶା ଡିସକମ୍ ସମଗ୍ର ଓଡ଼ିଶାରେ ପ୍ରାୟ ୧ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି। ବିଗତ ୬ ବର୍ଷ ମଧ୍ୟରେ ବିଦ୍ୟୁତ୍ ବିତରଣ କ୍ଷତି ହ୍ରାସ ପାଇଛି ଏବଂ ସୁରକ୍ଷା ତଥା ଗ୍ରାହକ ସେବାରେ ଉନ୍ନତି ଆସିଛି, ଯେତେବେଳେ କି ଉପଭୋକ୍ତାଙ୍କ ବିଦ୍ୟୁତ୍ ଶୁଳ୍କ ଅପରିବର୍ତ୍ତିତ ରହିଛି। ଉପଭୋକ୍ତାଙ୍କ ସଂଖ୍ୟା ଏବଂ ବିଦ୍ୟୁତ୍ ଚାହିଦା ବହୁଗୁଣ ବୃଦ୍ଧି ପାଇବା ଯୋଗୁଁ, ଟିପିସିଓଡିଏଲ ରେ ଠିକା କର୍ମଚାରୀଙ୍କ ସଂଖ୍ୟା ୨୦୨୦ ମସିହାରେ ପ୍ରାୟ ୬,୦୦୦ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ପ୍ରାୟ ୧୫,୩୦୦ ରେ ପହଞ୍ଚିଛି। ସମସ୍ତ ଡିସକମ୍ରେ ଏହି ସମୁଦାୟ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇ ୫୫,୦୦୦ ରୁ ଅଧିକ ଠିକା କର୍ମଚାରୀ ହୋଇଛି। ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରାଯାଇ ନାହିଁ।
ଶ୍ରୀ କାଲେ ଆହୁରି ମଧ୍ୟ କହିଛନ୍ତି ଯେ ” ପ୍ରାୟ ୧୫,୩୦୦ ଠିକା କର୍ମଚାରୀଙ୍କ ମଧ୍ୟରୁ କେବଳ ୩୭୪ ଜଣଙ୍କୁ ପୁନଃ ନିୟୋଜନ (ରିଡ଼ିପ୍ଲୋୟମେଣ୍ଟ) ପାଇଁ ଚିହ୍ନଟ କରାଯାଇଛି, ଯେଉଁଥିରୁ ପ୍ରାୟ ୨୦୦ ଜଣ କର୍ମଚାରୀ ପୂର୍ବରୁ ହିଁ ନୂତନ ସ୍ଥାନକୁ ଯାଇସାରିଛନ୍ତି।କର୍ମଚାରୀମାନଙ୍କୁ ୧୫ ନଭେମ୍ବର ୨୦୨୬ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ଯେଉଁମାନେ ଫେରିବାକୁ ଚାହୁଁଛନ୍ତି, ସେମାନେ ଯୋଗ ଦେଇପାରିବେ। ଯେଉଁଠାରେ କର୍ମଚାରୀ ଅନୁପସ୍ଥିତ ରହିବେ, ସେଠାରେ ଓଡ଼ିଶାର ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ନିମନ୍ତେ ବିଜନେସ୍ ଆସୋସିଏଟ୍ ମାନେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଶ୍ରୀ କାଲେ କହିଛନ୍ତି