ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ପଞ୍ଚମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ବହୁ ପ୍ରତିକ୍ଷିତ ନାଟକ ‘ପତିିତପାବନ ବାନା ଆଉ କେତେ ବେଳକୁ’ । ଐତିହାସିକ ପୃଷ୍ଠଭୂମି ଆଧାରରେ ଭକ୍ତ-ଭଗବାନଙ୍କ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ରୂପାୟନ ଘଟିଛି ଶ୍ରୀଜଗନ୍ନାଥ ସଂସ୍କୃତି କୈନ୍ଦ୍ରିକ ଏହି ନାଟକ ମଧ୍ୟରେ । ଅବିଶ୍ୱାସ,ସନ୍ଦେହ ଭିତରେ ପାରିବାରିକ ସମ୍ପର୍କ ରୁଗ୍ଣ-କ୍ଷତାକ୍ତ । ସେ ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଗଜପତି ଦିବ୍ୟସିଂହ ଦେବ ହୁଅନ୍ତୁ-କିଛି ବି ପାର୍ଥକ୍ୟ ନାହିଁ । ଏକ ସାମାନ୍ୟ ଗୋଟିଏ ଫୁଲ ହାର କିପରି ଗଜପତି ମହାରାଜଙ୍କ ମନରେ ସନ୍ଦେହର ବିଷବୃକ୍ଷ ସୃଷ୍ଟି କରେ,ତାହାର ପ୍ରାମାଣିକ ରୂପ ନାଟକରେ ପ୍ରତିଫଳିତ ହୋଇଥିଲା । ନିଜ ସାନଭାଈ ସାନଦେଉଙ୍କ ସହିତ ମାତୃସମ ମହାରାଣୀଙ୍କ ପବିତ୍ର ସମ୍ପର୍କକୁ ସନ୍ଦେହ କରି ସନ୍ଦେହର ଡହଡହ ତାତିଲା ଝାଞ୍ଜିରେ ଛଟପଟ ଗଜପତିଙ୍କ ନିଷ୍ଠୁର ପ୍ରାଣଦଣ୍ଡ ଆଦେଶ ସାନଦେଉଙ୍କୁ କିପରି କଲବଲ କରିଥିଲା ତାହା ଏହି ନାଟକରେ ସ୍ପଷ୍ଟ ପ୍ରତିଫଳିତ ହେବା ସହିତ ଦର୍ଶକ ମାନଙ୍କୁ ବେଶ୍ ଭାବପ୍ରବଣ କରି ଦେଇଥିଲା । ନାଟ୍ୟଧାରା,ନୟାଗଡ଼ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ନାଟ୍ୟମେଳାର ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ଶିକ୍ଷାବିତ ପ୍ରଫେସର ରାମଚନ୍ଦ୍ର ମିଶ୍ର ଏବଂ ନାଟକର ରଚୟିତା ଗଦାଧର ନନ୍ଦ ଯୋଗଦାନ କରିଥିଲେ । ଚମତ୍କାର ନାଟ୍ୟସଂସ୍ଥା,ନୟାଗଡ଼ ପକ୍ଷରୁ ପରିବେଶିତ ଏହି ନାଟକର ନିର୍ଦ୍ଦେଶନା ଡ.ବିଜୟ କୁମାର ଚୌଧୁରୀ ଦେଇଥିବା ବେଳେ ସଙ୍ଗୀତ ସଂଯୋଜନା,ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଥିଲେ ଅଧ୍ୟାପିକା ଜୟଶ୍ରୀ ଦେବୀ । ନାଟକର ବିଭିନ୍ନ ଭୂମିକାରେ ରିଙ୍କୁ,ବାପି,ବାପୁ,ନିଶିକାନ୍ତ,ପ୍ରଦୀପ,ଟୁନା,ସରୋଜ,ଲକି,ସିଂ ବାବୁ, ଦେବାଂଶୀ, ପ୍ଲାଜା,ସାଇଶ୍ରୀ,କଣ୍ଢେଇ,ସୋନାଲୀ,କ୍ରିଷ୍ଣା ଏବଂ ଜୟଶ୍ରୀ ପ୍ରମୁଖଙ୍କ ଅଭିନୟ ବେଶ ମନଛୁଆଁ ହୋଇଥିଲା । ନାଟକ ପରିଚାଳନାରେ ନାଟ୍ୟଧାରା ସଭାପତି ପ୍ରମୋଦ ପଟ୍ଟନାୟକ,ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀଙ୍କ ସମେତ ନାଟ୍ୟଧାରା ପରିବାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post