ଝାରସୁଗୁଡ଼ାରେ ସାମୂହିକ ସ୍ୱଚ୍ଛତା ଅଭିଯାନ ଓ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ର ସମୀକ୍ଷା ବୈଠକ

10

  • ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାର ବିଭିନ୍ନ କ୍ଲବ୍, ସାମାଜିକ ଅନୁଷ୍ଠାନ ଓ ସଂଗଠନର କର୍ମକର୍ତ୍ତାଙ୍କ ସହ ବୈଠକ
  • ସ୍ୱଚ୍ଛତା କେବଳ ପ୍ରଶାସନର ନୁହେଁ, ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ – ବିଧାୟକ
  • ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଗୁରୁତ୍ୱାରୋପ

ଝାରସୁଗୁଡ଼ା: ଝାରସୁଗୁଡ଼ା ସହରକୁ ସ୍ୱଚ୍ଛ, ସୁନ୍ଦର ତଥା ସବୁଜିମାମୟ କରି ଗଢ଼ିତୋଳିବା ଏବଂ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲା ପରିଷଦର ସିଡିଓ ତଥା ଇଓ ବିଶ୍ୱ ରଞ୍ଜନ ନାୟକ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ, ଝାରସୁଗୁଡ଼ାର ବିଭିନ୍ନ କ୍ଲବ୍, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସାମାଜିକ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସହରର ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ନିୟମିତ ବର୍ଜ୍ୟବସ୍ତୁ ପରିଚାଳନା ତଥା ସାମୂହିକ ସଫେଇ କାର୍ଯ୍ୟକ୍ରମକୁ ଫଳପ୍ରଦ ଭାବେ ରୂପାୟନ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ବିଧାୟକ ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ ଯେ ଏକ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ଝାରସୁଗୁଡ଼ା ଗଠନ କରିବା କେବଳ ପ୍ରଶାସନର ଏକାକୀ ଦାୟିତ୍ୱ ନୁହେଁ, ବରଂ ଏଥିରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ସହଭାଗିତା ଏକାନ୍ତ ଆବଶ୍ୟକ। ସହରର ସାମାଜିକ ସଂଗଠନ ଓ ଜନସାଧାରଣ ଆଗେଇ ଆସି ଏହି ଅଭିଯାନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ସମେତ ବିଦ୍ୟୁତ୍ ଯୋଗାଣ ଓ ଶକ୍ତି କ୍ଷେତ୍ରର ଅଗ୍ରଗତି ଉପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରାଯାଇଥିଲା। ସହର ତଥା ଗ୍ରାମାଞ୍ଚଳରେ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇଦେବା, ସୌର ଶକ୍ତିର ବ୍ୟବହାର ବୃଦ୍ଧି କରିବା ଏବଂ ବିଜୁଳି ବିଲ୍ ହ୍ରାସ କରିବା ଦିଗରେ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ସରକାରୀ ଯୋଜନାର ସୁଫଳ ଯେପରି ସମାଜର ଶେଷ ସ୍ତରରେ ଥିବା ହିତାଧିକାରୀଙ୍କ ପାଖରେ ସଠିକ୍ ଓ ସମୟୋଚିତ ଭାବେ ପହଞ୍ଚିପାରିବ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

Leave A Reply

Your email address will not be published.