ଢ଼େଙ୍କାନାଳ / ରବିନ୍ ଦାସ; ଢେଙ୍କାନାଳ ଦେଉଳସାହି ସ୍ଥିତ ବଳରାମ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜ ଢ଼େଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଉତ୍କଳ ସମାଜ ରାଜ୍ୟ ସାଧାରଣ ସମ୍ପାଦକ ଡ଼ଃ. ଭାସ୍କର ଚନ୍ଦ୍ର ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଙ୍ଗଠନର ଜିଲ୍ଲା ସମ୍ପାଦକ ଉମାକାନ୍ତ ପରିଡା ଏଥିରେ ପୌରହିତ୍ୟ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ଉତ୍କଳ ସମାଜ ପକ୍ଷରୁ ରାଜ୍ୟର କେତେକ ଲୋକସଭା ଆସନର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଢ଼େଙ୍କାନାଳ ଲୋକସଭା ଆସନରୁ ସୁଶ୍ରୀ ସ୍ବପ୍ନାରାଣୀ ଜେମସ୍ (ମେଘା )ଙ୍କୁ ପ୍ରାର୍ଥୀ କରାଯିବା ପାଇଁ ଦଳ ସ୍ଥିର କରିଛି । ଏତଦ୍ ବ୍ୟତୀତ ଢେଙ୍କାନାଳ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯିବା ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ବଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ସାମାଜିକ ସମସ୍ୟା ପ୍ରତି ସମ୍ବେଦନଶୀଳ ସାମାଜିକ କ୍ଷେତ୍ରରେ ଲୋକମାନଙ୍କ ସହିତ ତୃଣମୂଳ ସ୍ତରରେ କାର୍ଯ୍ୟରତ ଯୁବକଯୁବତୀମାନଙ୍କୁ ପ୍ରାର୍ଥୀ ଚୟନରେ ଅଗ୍ରାଧିକାର ଦିଆଯିବାକୁ ନିଷ୍ପତି ନିଆଗଲା । ଏହି ସମ୍ମିଳନୀରେ ଜିଲ୍ଲା କମିଟିର ସଭ୍ୟ ରାମେଶ୍ଵର ମାଇତି, ଆଇନ୍ଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ସୁଶାନ୍ତ ପାତ୍ର, ଶ୍ରୀକାନ୍ତ ନାଏକ, ଆଇନ୍ଜୀବୀ ଲଗ୍ନାମୟୀ ସ୍ବାଇଁ, ଗୋବର୍ଦ୍ଧନ ସାମଲ ଏବଂ ଜିଲ୍ଲା ଲୋକସମ୍ପର୍କ ସଚୀବ ସୁଶ୍ରୀ ସ୍ବପ୍ନାରାଣୀ ଜେମସ୍ (ମେଘା) କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଜିଲ୍ଲାର ସମସ୍ତ ବିଧାନସଭା ଆସନରୁ କର୍ମୀମାନେ ଯୋଗଦେଇଥିଲେ । ଶେଷରେ ସମସ୍ତ କର୍ମୀମାନେ ସୁଶ୍ରୀ ସ୍ୱପ୍ଲାରାଣୀ ଜେମସ୍ ଙ୍କୁ ଆଗାମୀ ନିର୍ବାଚନ ଲୋକସଭା ପ୍ରାର୍ଥୀ ଭାବରେ ସ୍ବାଗତ ଜଣାଇବା ସହିତ ତାଙ୍କର ସୁନିଶ୍ଚିତ ବିଜୟକାମନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.