ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ଏନ୍.ଏ.ସି କୁ ପୌରପାଳିକା ବା ମୁନିସିପାଲଟି ନ କରାଇ ଦେବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଷଡଯନ୍ତ୍ର କରିଥିବା ଭାରତୀୟ ବିକାଶ ପରିଷଦ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପାଣିଗ୍ରାହୀ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଗେଟ୍ ସାମ୍ନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଆଜି ମାର୍ଚ୍ଚ ମାସ ୨ ତାରିଖ ୨୦୨୪ ଶନିବାର ଦିନ ମହାଭିଯୋଗ କରିଛନ୍ତି।
ଶ୍ରୀଯୁକ୍ତ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି ଯେ, ଗଞ୍ଜାମର ଭଞ୍ଜନଗର, ଆସ୍କା ଓ ଛତ୍ରପୁର କୁ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ “ଭାରତୀୟ ବିକାଶ ପରିଷଦ” ପକ୍ଷରୁ ଉଚ୍ଚ ନ୍ୟାୟାଳୟ ରେ ଜନସ୍ୱାର୍ଥ ମାମଲା ନଂ ୯୯୩୯/୨୦୧୯ ହୋଇଥିଲା। ମାନ୍ୟବର ହାଇକୋର୍ଟ ୫ ଅଗଷ୍ଟ ୨୦୧୯ ରେ ଛଅ ସପ୍ତାହ ମଧ୍ୟରେ ତିନି ଏନଏସି କୁ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ମୁଖ୍ୟ ଶାସନ ସଚିବ ଙ୍କୁ ନିର୍ଦେଶ ଦେଇଛନ୍ତି। ନିର୍ଧାରିତ ସମୟ ମଧ୍ୟରେ ସରକାର ଘୋଷଣା କରି ନଥିଲେ। ପରେ ଆଦେଶ ଅବମାନନା ମାମଲା ରେ ୮୩/୨୦ ରେ ରୁଜୁ ହୋଇଥିଲା। ଏହା ପରେ ତତ୍କାଳୀନ ଜିଲ୍ଲାପାଳ ତିନି ଗୋଟି ଏନ.ଏ.ସି ନିକଟରେ ଗଢି ଉଠିଥିବା ନୂତନ ସହରାଞ୍ଚଳକୁ ମିଶ୍ରଣ କରି ନିୟମ ଅନୁସାରେ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ରିପୋର୍ଟ ପଠାଇ ଥିଲେ। ଭାରତୀୟ ବିକାଶ ପରିଷଦ କୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆ ଯାଇଥିବା ରିପୋର୍ଟ ପ୍ରକାରେ, ଭଞ୍ଜନଗର କାଯ୍ୟ ନିର୍ବାହୀ ଅଧିକାରୀ ୦୧/୦୧/୨୦ ରେ ଜଣାଇଥିଲେ ଯେ ଲାଲସିଂ ଗ୍ରାମ ପଞ୍ଚାୟତ ପୌରପାଳିକା ରେ ମିଶ୍ରଣ ପାଇଁ ଆଗ୍ରହୀ ନାହିଁ । କିନ୍ତୁ ବିକାଶ ପରିଷଦ ବାଉଁଶଲୁଣ୍ଡି ଗ୍ରାମକୁ ଏନ.ଏ.ସି ସହ ମିଶ୍ରଣ କରି ପୌରପାଳିକା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଲାଲସିଂ ଗ୍ରାମକୁ କିପରି ପ୍ରସ୍ତାବ ମଗାଯାଇଥିଲା ? ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି। ଏ ନେଇ ସେ ସ୍ଥାନୀୟ ବିଧାୟକ ଙ୍କ ଷଡଯନ୍ତ୍ର ଯୋଗୁଁ ଭଞ୍ଜନଗର କୁ ପୌରପାଳିକା ମାନ୍ୟତା ରୁ ବଞ୍ଚିତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ମହାଭିଯୋଗ କରିଛନ୍ତି। ଭଞ୍ଜନଗର ବାସୀ ଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟ ନିମନ୍ତେ ଓ ଅଞ୍ଚଳବାସୀ ଙ୍କ ସାମୁହିକ ସ୍ୱାର୍ଥ ପାଇଁ ପୌରପାଳିକା ମାନ୍ୟତା ପ୍ରଦାନ ନିମନ୍ତେ ଦ୍ୱିତୀୟ କୋର୍ଟ ଅବମାନନା ମାମଲା ହାଇକୋର୍ଟରେ ରୁଜୁ କରିବେ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀ କହିଛନ୍ତି।
ଅପରପକ୍ଷରେ ନାଗରିକ କମିଟି ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ୬ ଦିନ ରେ ପହଞ୍ଚିଛି। ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ଼ ସମେତ ବହୁ ଜନସାଧାରଣ ଶନିବାର ଧାରଣାରେ ସାମିଲ ହୋଇଥିଲେ। ଏ ନେଇ କମିଟିର ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ଦିନରେ ଭଞ୍ଜନଗର ବନ୍ଦ ଡାକରା ଦିଆଯିବ ବୋଲି ସୂଚନା ମିଳିଛି।