ବରଗଡ଼ ୨୩।୨ : ବିଶ୍ଵ ପ୍ରସିଦ୍ଧ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଅବସ୍ଥିତ ଖଣ୍ଡିଝରନ ଗ୍ରାମ ନିକଟ ଜଙ୍ଗଲରେ ଘଟିଯାଇଥିବା ମାଓବାଦୀ ଓ ପୋଲିସ (ଏସଓଜି) ମଧ୍ୟରେ ଗୁଳି ବିନିମୟ ଘଟଣା ପଦ୍ମପୁର ଅଞ୍ଚଳର ଲୋକଙ୍କ ଭିତରେ ଆତଙ୍କର ବାତାବରଣ ଖେଳାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୮ ଟା ରୁ ୯ ଟା ମଧ୍ୟରେ ଖଣ୍ଡିଝରନ ଗ୍ରାମ ନିକଟ ଥିବା ପାହାଡିଆ ଜଙ୍ଗଲରେ ଅଚାନକ କମ୍ବିଂ କରିଥିବା ଏସଓଜି ଓ ମାଓବାଦୀ ମୁହାମୁହି ହୋଇଥିଲେ । ଏହି ସମୟରେ ଉଭୟ ପଟରୁ ଗୁଳି ବିନିମୟ ମଧ୍ୟ ହୋଇଥିଲା । ଏହି ଗୁଳି ବିନିମୟ ଘଟଣା କୁ ନେଇ ଆଜି ସକାଳ ଠାରୁ ଚର୍ଚ୍ଚାର ମହୋଳ ସରଗରମ ରହିଛି । ପୋଲିସ ତଥା ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପୋଲିସ ତରଫରୁ ଜଙ୍ଗଲରେ ବର୍ତ୍ତମାନ ସୁଦ୍ଧା କମ୍ବିଂ ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୃତ ଦେହ ଠାବ କରାଯାଇ ପାରିନାହିଁ । ଏପଟେ ପୋଲିସ ତରଫରୁ ମଧ୍ୟ କୌଣସି ଯବାନ ହତାହତ ହୋଇନଥିବା ସୂଚନା ରହିଛି । ପୋଲିସର କମ୍ବିଂ ବେଳେ ପୋଲିସକୁ ମାଓବାଦୀ ମାନଙ୍କ ଏକ ଅସ୍ଥାୟୀ କ୍ୟାମ୍ପରୁ ମାଓବାଦୀ ମାନଙ୍କ ଦ୍ଵାରା ବ୍ୟବହାର କରାଯାଇଥିବା ବ୍ୟଗ ଓ ଅନ୍ୟ କିଛି ସାମଗ୍ରୀ ମିଳିଥିବା ସୂଚନା ରହିଛି । ଏହି ଗୁଳି ବିନିମୟ ଘଟଣାକୁ ନେଇ ପାହାଡ଼ର ପାଦ ଦେଶରେ ଅବସ୍ଥିତ ଗ୍ରାମ ମାନଙ୍କରେ ଲୋକେ ଆତଙ୍କିତ ଥିବା ଜଣାପଡିଛି । ଏହି ଘଟଣା ବାବଦରେ ଚାଲିଥିବା ଚର୍ଚ୍ଚା ଓ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟ ମଧ୍ୟରେ କୌଣସି ସାମଞ୍ଜସ୍ୟ ରହୁନଥିବା କାରଣରୁ ଲୋକଙ୍କ ମନରେ ଅନେକ ପ୍ରକାର ଆସଙ୍କା ଦେଖା ଯାଉଛି । କମ୍ୱିଂ ସରିବା ପରେ ଘଟଣା ବାବଦରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।
Sign in
Sign in
Recover your password.
A password will be e-mailed to you.
Next Post