ଓରମାସ ଦ୍ୱାରା ଗ୍ରାମୀଣ ଉତ୍ପାଦ ପ୍ୟାକେଜିଂ ତାଲିମ୍ କାର୍ୟ୍ୟକ୍ରମ

0

ସାମଗ୍ରୀର ବଜାର ଚାହିଦା ପାଇଁ ପ୍ୟାକେଜିଂ ଓ ବ୍ରାଣ୍ଡିଂ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର:  ପ୍ରତିଯୋଗିତାମୂଳକ ବଜାରରେ ତିଷ୍ଠି ରହିବାକୁ ହେଲେ ପ୍ରତ୍ୟେକ ସାମଗ୍ରୀର ଗୁଣବତ୍ତା ସହିତ ସେଗୁଡ଼ିକର ସଠିକ୍ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ କରାଯିବା ଜରୁରୀ । ତା ନ ହେଲେ, ଉତ୍ତମ ଗ୍ରାମୀଣ ଉତ୍ପାଦ ଗୁଡ଼ିକର ବଜାର ଚାହିଦା ଧୀରେ ଧୀରେ କମିବାରେ ଲାଗିବ । ଏହାକୁ ଦୃଷ୍ଟିରେ ରଖି, ଗ୍ରାମୀଣ ସାମଗ୍ରୀର ସଠିକ୍ ପ୍ୟାକେଜିଂ ଏବଂ ବ୍ରାଣ୍ଡିଂ ପ୍ରକ୍ରିୟା ସମ୍ପର୍କିତ ଦୁଇ ଦିନିଆ ତାଲିମ୍ କାର୍ୟ୍ୟକ୍ରମ ସୋମବାର ଏବଂ ମଙ୍ଗଳବାର ଭୁବନେଶ୍ୱର ଶିରିପୁର ସ୍ଥିତ ଇମେଜ ସମ୍ମିଳନୀ କକ୍ଷରେ ଆୟୋଜନ କରାଯାଇଥିଲା । ତାଲିମ୍ ଶିବିରର ଉଦଯାପନୀ କାର୍ୟ୍ୟକ୍ରମରେ ଯୋଗଦେଇ ଓରମାସର ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, କହିଥିଲେ ଯେ, କେବଳ ସାମଗ୍ରୀର ପ୍ୟାକେଜିଂ କରିଦେଲେ ହେବ ନାହିଁ, ସେଗୁଡ଼ିକର ସଠିକ ପରିଚାଳନା, ଏଥିପାଇଁ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର ଏବଂ ଏହା ଉପରେ ଆବଶ୍ୟକ ବାଧ୍ୟତାମୂଳକ ତଥ୍ୟ ଆଦି ଉଲ୍ଲେଖ କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ଯାହା କି ଏହି ପ୍ୟାକେଜିଂ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଏଭଳି ହେଲେ ଯାଇ, ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ଆମ ମାଆମାନଙ୍କ ହାତ ତିଆରି ସାମଗ୍ରୀର ଚାହିଦା ବଢ଼ିବ ।
ଏହି ଦୁଇ ଦିନିଆ ତାଲିମ୍ କାର୍ୟ୍ୟକ୍ରମରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ପ୍ୟାକେଜିଂ ମୁମ୍ୱାଇର ବିଶେଷଜ୍ଞ, ବିଭିନ୍ନ ଜିଲ୍ଲାରୁ ଆସିଥିବା ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗ ଆଦିର ସଦସ୍ୟା ଏବଂ ଓରମାସ ବିଜନେସ୍ ମ୍ୟାନେଜରମାନଙ୍କୁ ପ୍ୟାକେଜିଂର ବିଭିନ୍ନ ଦିଗ, ପ୍ରକ୍ରିୟା ଏବଂ ଏହାର ବ୍ୟବହାର ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ଏହି କାର୍ୟ୍ୟକ୍ରମରେ ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ୬ଟି ଜିଲ୍ଲାରୁ ୫୦ରୁ ଅଧିକ ବିଭିନ୍ନ ଗୋଷ୍ଠୀର ମହିଳା ସଦସ୍ୟା, ବିଜନେସ ମ୍ୟାନେଜର ଆଦି ଅଂଶଗ୍ରହଣ କରିଥିଲେ । ଉଦଯାପନୀ କାର୍ୟ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀ ବାଦଲ କୁମାର ମହାନ୍ତି, ମିଶନ ଶକ୍ତି ଖୋର୍ଦ୍ଧାର ଡିପିସି ଏବଂ ଓରମାସ ଅଧିକାରୀ ଯୋଗଦେଇଥିଲେ । କାର୍ୟ୍ୟକ୍ରମକୁ ଓରମାସ୍ ଖୋର୍ଦ୍ଧା ଉପମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ରାଜଗୋପାଳ ଦାଶ ପରିଚାଳନା କରିଥିଲେ । ଶେଷରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଏ.ପି.ଡି (ଲାଇଭଲିହୁଡସ୍) ସୌଭାଗିନୀ ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖାଦ୍ୟ ଏବଂ ମସଲା ଆଦି ପ୍ୟାକେଜଡ ସାମଗ୍ରୀର ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଖୋର୍ଦ୍ଧା ଏବଂ ଓରମାସର ମିଳିତ ଆନୁକୂଲ୍ୟରେ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.