ବିଭିନ୍ନ ବିଭାଗୀୟ ଗୁରୁତ୍ୱପର୍ଣ୍ଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କଲେ ମୁଖ୍ୟଶାସନ ସଚିବ

0

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବା ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମଗୁଡିକର ଅଗ୍ରଗତି ତଥା କାର୍ଯ୍ୟକାରିତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସମେତ ଅନ୍ୟ ସଚିବମାନେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଏକ ବୈଠକରେ ଆଲୋଚନାକରି ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦକୁମାରପାଢ଼ୀ, ବାଣିଜ୍ୟଓପରିବହନ, ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନସଚିବ ଶ୍ରୀମତୀ ଊଷା ପାଢ଼ୀ, ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚପଦାଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଆଭାସୀ ବୈଠକରେ ଯୋଗ ଦେଇଥିଲେ।
ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଥିଲା। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀସଚିନ୍ ରାମଚନ୍ଦ୍ର ଯାଦବ ପ୍ରକଳ୍ପଗୁଡ଼ିକର ସ୍ଥିତି ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରିଥିଲେ।ବିଜ୍ଞାନ ଓ କାରିଗରୀ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ଲୋକାର୍ପିତ ହେବାକୁ ଥିବା ଓ ଶିଳାନ୍ୟାସ ହେବାକୁ ଥିବା ଜିଲ୍ଲା ବିଜ୍ଞାନକେନ୍ଦ୍ର ଓ ପ୍ଲାନେଟୋରିୟମଗୁଡ଼ିକର ସ୍ଥିତି ଉପସ୍ଥାପନ କରାଯାଇଥିଲା।ଜିଲ୍ଲାପାଳମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ଏହାର ପ୍ରସ୍ତୁତି ଅନୁଧ୍ୟାନ କରିବା ସହିତ ଲୋକାର୍ପଣ ପରବର୍ତ୍ତୀ ପରିଚାଳନା ସଂପର୍କରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ୟାଙ୍କ ସୁବିଧା ନଥିବା ଗ୍ରାମାଂଚଳରେ ୨ୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଥିବା ଆମ ବ୍ୟାଙ୍କ-ସିଏସପି ଆଉଟଲେଟ ଗୁଡିକ କାର୍ଯ୍ୟକ୍ଷମ ହେବା ପରିପ୍ରେକ୍ଷୀରେ ଘର, ଭିତ୍ତିଭୂମି,ଇଣ୍ଟରନେଟ୍ ସଂଯୋଗୀକରଣ ଓ ବିଦ୍ୟୁତ ଶକ୍ତି ଆଦି ସମସ୍ୟାର ସମାଧାନ ପୁର୍ବକ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆବଶ୍ୟକ ପରାମର୍ଶ ଦିଆଯାଇଛି ।ବୈଠକରେ ବୁଣାକାରମାନଙ୍କୁ ସହାୟତା ନେଇ ଆଲୋଚନା, ଆଗାମୀ ପର୍ଯ୍ୟାୟରେ ଅନ୍ୟ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଲକ୍ଷ୍ମୀ ଯୋଜନାରେ ବସ ପରିବହନ ସେବା, ଆମ ବସ ଷ୍ଟାଣ୍ଡ ଯୋଜନାରେ ବସ ଷ୍ଟାଣ୍ଡଗୁଡିକର ପରିଚାଳନା ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ ଭାରତ ସରକାରଙ୍କ ଇଏଆରଏଏସ୍ ଯୋଜନାରେ ରାଜ୍ୟରେ କ୍ଷୁଦ୍ର ଶସ୍ୟ ଫସଲ ସର୍ବେକ୍ଷଣ ପାଇଁ କୃଷି ଭିତ୍ତିକ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ, କୃଷି ପରିସଂଖ୍ୟାନ ପ୍ରସ୍ତୁତିରେ ଆବଶ୍ୟକ ତଦାରଖ ଓ ସହଯୋଗ କରାଯିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଓ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଥିବାରୁ ଏହାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ଆମ ଓଡିଶା,ନବୀନ ଓଡିଶା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡିକର ଅଗ୍ରଗତି, ଚୟନ କରାଯାଇଥିବା ପ୍ରକଳ୍ପରେ ରହୁଥିବା ସମସ୍ୟାର ସମାଧାନ କରି ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା, ପିଏମଏଓ୍ୱାଇ –ଗ୍ରାମୀଣ ଯୋଜନାରେ ଆବଣ୍ଟିତ ଆବାସଗୁଡିକୁ ସମ୍ପୂର୍ଣ୍ଣ କରିବା,ପାନୀୟ ଜଳ ଯୋଗାଣ – ବସୁଧା ଯୋଜନାର ସୁଫଳ ଯେପରି ଲୋକମାନେ ପାଇପାରିବେ , ସେଥିପ୍ରତି ବସୁଧା ସହାୟତା ନମ୍ବରର ବହୁଳ ପ୍ରଚାର ପ୍ରସାର ଓ ଏହାର ଉପଯୋଗ ପାଇଁ ଜନସଚେତନା ଉପରେ ଗୁରୁତ୍ୱ ଦିଆଯାଇଛି । ପାଇପ୍ ଯୋଗେ ପାନୀୟ ଜଳ ସମସ୍ୟା, ମରାମତି ଆଦି ସଂପର୍କିତ ଅଭିଯୋଗକୁ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିବର୍ଷ ଅଧିକରୁ ଅଧିକ ଲକ୍ଷ କୁଶଳୀ ମାନବ ସଂବଳ ଆମର ଆବଶ୍ୟକତା ରହୁଥିବାରୁ ଏ ଦକ୍ଷତା ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଜିଲ୍ଲାପାଳମାନେ ନୂଆ ଓଡିଶା ଅଧିନରେ ଜିଲ୍ଲା ଦକ୍ଷତା କେନ୍ଦ୍ର ଚିହ୍ନଟ କରିବାକୁ କୁହାଯାଇଛି । ଜିଲ୍ଲାରେ ମଡେଲ କ୍ୟାରିଅର ସେଣ୍ଟରଗୁଡିକୁ ଅଧିକ କ୍ରିୟାଶୀଳ କରାଯିବାକୁ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁଦକ୍ଷା ଯୋଜନାରେ ସରକାରୀ ଆଇଟିଆଇ ଓ ପଲିଟେକନିକ୍ ରେ ଅଧିକ ଛାତ୍ରୀମାନଙ୍କ ନାମଲେଖାକୁ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳମାନେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତିମାସରେ ସେଚ ସମୀକ୍ଷା କରିବାକୁ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.