ଯୋଗାଣ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ ୨୦୧ କୁଇଣ୍ଟାଲ ଧାନ ଜବତ

0

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

 ଗୁଣପୁର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ଆଜି ଅଚାନକ ଚଢ଼ାଉ କରାଯାଇ ବେଆଇନ ଭାବେ ଗଛିତ ଥିବା ୨୦୧ କୁଇଣ୍ଟାଲ ଧାନ ଜବତ କରାଯାଇଛି । ସୂଚନା ଅନୁଯାୟୀ ଉପଜିଲ୍ଲାପାଳ କିରଣ ଦୀପ କୌର୍ ସାହୋତା ଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ଏବଂ ଯୋଗାଣ ନିରୀକ୍ଷକ ରୀତା ବେହେରା ସ୍ଥାନୀୟ ଆରଏମସି ପରିସରରେ ଥିବା ଗୋଦାମ ଗୃହରେ ଚଢ଼ାଉ କରିଥଲେ। ଗୋଦାମ ଗୃହ ୨ ରେ ଲାଡି ସତ୍ୟ ନାରାୟଣ ଓରଫ ଲାଡି ସତ୍ୟମ ନାମକ ଜଣେ ଚାଉଳ ବ୍ୟବସାୟୀ ଉକ୍ତ ଗୋଦାମ ଗୃହରେ ବେଆଇନ ଭାବେ ଚାଷୀଙ୍କ ଠାରୁ ସ୍ୱଳ୍ପ ମୂଲ୍ୟରେ ଧାନ କ୍ରୟ କରି ପ୍ରାୟ ୨୦୧ ଏକ କୁଇଣ୍ଟାଲ ଧାନ ଗଛିତ ରଖିଥିଲେ।ଯାଞ୍ଚ ବେଳେ ସତ୍ୟ ନାରାୟଣ ଯୋଗାଣ ବିଭାଗ କୁ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରି ପାରିନ ଥିଲେ। ତଦନ୍ତରୁ ବେଆଇନ ଭାବେ କ୍ରୟ କରି ଗଛିତ ରଖି ପରବର୍ତ୍ତୀ ସମୟରେ ସରକାରଙ୍କ ଧାର୍ଯ୍ୟ ଦରରେ ସତ୍ୟ ନାରାୟଣ ଉକ୍ତ ଧାନକୁ ବିକ୍ରୟ କରିବା ପାଇଁ ରଖିଥିବା ଜଣାପଡିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଛିତ ରଖିଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବା ଯୋଗାଣ ନିରୀକ୍ଷକ ରିତା ବେହେରା ସୂଚନା ଦେଇଛନ୍ତି। ଜବତ ଧାନ ବସ୍ତା ଗୁଡିକୁ ରାମନାଗୁଡା ସ୍ଥିତ ବିଶ୍ୱନାଥ ଇଣ୍ଡଷ୍ଟ୍ରୀ କୁ ହସ୍ତାନ୍ତର କରାଯାଇଛି ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଆଜିର ଅଚାନକ ଚଢ଼ାଉ ଯୋଗୁଁ ଅନେକ କଳା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପସିଯାଇଛି।

 

Leave A Reply

Your email address will not be published.