ପାଣ୍ଡିଆନଙ୍କ ଅକ୍ଷର ଭୂମି ପରିଦର୍ଶନ:ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ

4
  • ଭାଷା ସମ୍ମିଳନୀ ସହିତ ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଅନଲାଇନରେ ଯୋଡିବା ପାଇଁ ନିର୍ଦ୍ଦେଶ

  • ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଙ୍ଗ ହେବ

  • ସମ୍ମିଳନୀର ପ୍ରସ୍ତାବ ଅନୁଯାୟୀ ଭାଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ପରାମର୍ଶ

ଭୁବନେଶ୍ୱର: 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ସନ୍ଧ୍ୟାରେ ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ ରାଜ୍ୟର ସମସ୍ତ ବ୍ଲକ ଓ ଗ୍ରାମ ପଞ୍ଚାୟତକୁ ଯୋଡିବା ସହିତ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଗୁଡିକର ଲାଇଭ ଷ୍ଟ୍ରିମିଙ୍ଗ, ଭାଷା ଓ ଏହାର ଭବିଷ୍ୟତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସମ୍ମିଳନୀରେ ଭାଷା ସମ୍ପର୍କରେ ଯେଉଁ ପ୍ରସ୍ତାବ ଗୃହୀତ ହେବ, ତାକୁ ଭିତ୍ତି କରି ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ କରି ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଐତିହ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ସମ୍ମିଳନୀ ଆୟୋଜନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଉଛି ‘ଭାଷା ହିଁ ଭବିଷ୍ୟତ’। ସମ୍ମିଳନୀରେ ବିଭିନ୍ନ ବିଷୟ ଉପରେ ୧୬ଟି ଆକାଡେମିକ୍‌ ଅଧିବେଶନ ରହିଛି। ଏଥିରେ ବହୁ ମାନ୍ୟଗଣ୍ୟ ଭାଷାବିତ୍‌, ବୁଦ୍ଧିଜୀବୀ ଙ୍କ ସମେତ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନେ ଯୋଗଦେବେ।ଏହି ସମ୍ମିଳନୀ ଓଡିଶାର ଅତୀତ ଓ ବର୍ତ୍ତମାନର ରୂପାନ୍ତରଣ ପ୍ରକ୍ରିୟା ଉପସ୍ଥାପିତ କରିବ। ଅକ୍ଷର ଭୂମିରେ ପ୍ରଥମ ଥର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳନ କରାଯିବ। ଐତିହ୍ୟ ନଗରୀ ଭୁବନେଶ୍ୱର କେନ୍ଦ୍ର ସ୍ଥଳରେ ଏହି ସମ୍ମିଳନୀ ଓଡିଆ ଭାଷାର ଜୟଗାନ କରିବ। ଆମ ଭାଷାର ସୌନ୍ଦର୍ଯ୍ୟ ଓ ଖାଣ୍ଡେଲାଇଟ ପଥରରେ ଲିପିବଦ୍ଧ ହୋଇଥିବା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ଏହା ମାଧ୍ୟମରେ ପ୍ରତିଫଳିତ ହେବ। ଭାଷାପ୍ରେମୀ ବିଶେଷ କରି ଯୁବ ପିଢିଙ୍କ ପାଇଁ ଏହା ହେବ ପ୍ରମୁଖ ଆକର୍ଷଣ ସ୍ଥଳୀ।

Leave A Reply

Your email address will not be published.