ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ତିନୋଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ। ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ବସ୍ଥ ସୂତ୍ରରୁ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତି କନକଲତା ପୂଜାରୀ ଜାଣିବାକୁ ପାଇଥିଲେ। ଶ୍ରୀମତି ପୂଜାରୀ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟ ମାନଙ୍କୁ ଅବଗତ କରିଥିଲେ।
ଏହାପରେ ବାଲ୍ୟବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ରେ ଆଇସିଡିଏସ୍ ମହିଳା ସୁପରଭାଇଜର ଶ୍ରୀମତୀ ଭାଗ୍ୟବତୀ ପଟ୍ଟନାୟକ , କାଶୀନଗର ଥାନାଧିକାରୀ ମମତା ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପରିବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡ଼ତ୍ୟା , ସଖୀ ୱାନ୍ ଷ୍ଟପ୍ ସେଣ୍ଟର କେନ୍ଦ୍ରର ପ୍ରଶାସକ ଶ୍ରୀମତୀ ସୁନିତା ରଥ ରହିଥିଲା ବେଳେ ସେମାନଙ୍କ ସହ ଖାଣ୍ଡବା ସରପଞ୍ଚ ଶ୍ରୀମତୀ ସି.ଏଚ୍. ମାଧବୀ ଏବଂ ସମିତି ସଭ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ଦୋରା ଯୋଗଦେଇ ଉକ୍ତ ସ୍ଥାନ ମାନଙ୍କୁ ଯାଇ ହେବାକୁ ଥିବା ବାଲ୍ୟବିବାହକୁ ସ୍ଥଗିତ କରିଥଲେ।
ଏହାପରେ ବିବାହ ହେବାକୁ ଥିବା ଝିଅ ମାନଙ୍କର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକ ମାନଙ୍କୁ ବାଲ୍ୟବିବାହ ର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା। ଗ୍ରାମ ବାସିନ୍ଦାଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ମାନେ ଝିଅକୁ ୧୮ ବର୍ଷ ପୂରଣ ନହେବା ଯାଏ ବିବାହ ଦେବେ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବେ ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି।
ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ବାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.