ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ମନମାନୀ : ପାର୍ବତୀ ଗିରୀ ମେଗା ଉଠା ଜଳସେଚନ ପକଳ୍ପ କାମରେ ଲାଗୁନି

14

ଶୁଭିପାରେ  ମରୁଡିର ପଦଧ୍ୱନି,  ଚାଷୀଙ୍କ ଭିତରେ ପଡ଼ିଲାଣି ଭାଳେଣି 

ପଦ୍ମପୁର (ନୀଳ ଦୀପ)–  ରାଜ୍ୟ ସରକାର ଅଣଜଳସେଚିତ ଚାଷଜମିକୁ  ଚାଷ ପାଇଁ ପାଣି ଯୋଗାଇ ଦେବା  ଉଦ୍ଦେଶ୍ୟରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ  । ସରକାର ଏହି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ବେପରୁଆ ,ମନୋଭାବ ଯୋଗୁଁ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି ଚାଷୀ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଜାମୁଟପାଲି ଗ୍ରାମରେ  ।

ଚିର ମଋଡିଗ୍ରସ୍ତ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ଜାମୁଟପାଲି ଅଂଚଳରେ ନିର୍ମିିତ ହୋଇଥିଲା ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ  । ବିଜେପୁର ଉପନିର୍ବାଚନର ଫଳାଫଳ ପରେ ଅଂଚଳବାସୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଆସିଥିବା ଓଡିଶାର ମୁଖ୍ୟମନ୍ତ୍ରୀ ବରପାଲିଠାରେ ଏହାକୁ ଭିଡିଓ କନଫେରେନ୍ସି ମାଧ୍ୟମରେ ଉଦଘାଟନ କରିଥିଲେ  । ଉଦଘାଟନର ଚାରି ମାସ ବିତି ଯାଇଥିଲେ ସୁଦ୍ଧା ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିନି ଏହି ପ୍ରକଳ୍ପ  । ଜାମୁଟପାଲି ପଂଚାୟତର ଚାଷିମାନେ ତାଙ୍କ ନିକଟରେ ଥିବା ଅଙ୍ଗ ନଦୀଠାରେ ଏହି ପ୍ରକଳ୍ପ ଘୋଷଣା ହେବା ପରେ ଅତି ମାତ୍ରାରେ ଉତ୍ସାହିତ ହେବା ସହିତ ବହୁ ଆଶା ରଖିଥିଲେ  । ପଂଚାୟତ ଅନ୍ତର୍ଗତ ୧୨୦୦ ହେକ୍ଟରକୁ ଜଳସେଚିତ କରିବା ଉଦେ୍ଧଶ୍ୟରେ ଏହି ପ୍ରକଲ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ୩୦ ପ୍ରତିଶତ ମଧ୍ୟ ଜମି ପାଣି ପାଇ ପାରୁ ନ ଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି  । ଏହା ସହ ଜଳଯୋଗାଣ ପାଇଁ ବିଛା ଯାଇଥିବା ପାଇପ ଗୁଡିକ ଖାଳ ଜମି ଦେଇ ନିଆ ଯାଇ ଥିବାରୁ ଉପର ଜମି ସବୁକୁ ପାଣି ମଡାଇବା ସମ୍ଭବ ନ ହେବା ସହ ନଦୀ ପାଣି ପୁଣି ନଦିକୁ ଯାଉଛି  । ଖାଲ ଜମିରେ ପାଇପ ବିଛାଉଥିବା ସମୟରେ ଗ୍ରାମବାସୀ ଏହାର ଲାଭ ଚାଷୀ ପାଇ ପାରିବେ ନାହିଁ ବୋଲି ଅଭିଯୋଗ କରି କାମକୁ ବନ୍ଦ କରି ଦେଇଥିଲେ  । ପରେ ଭୁବନେଶ୍ୱରରୁ  ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଆସି ସମସ୍ତ ଜମିକୁ ପାଣି ଯିବାର ପ୍ରତିଶୃତି ଦେବା ପରେ କାମ ପୁଣି ଆରମ୍ଭ ହୋଇଥିଲା  । 

 କିନ୍ତୁ ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀ ନିଜସ୍ୱ ଇଚ୍ଛାରେ ନିଜ ସୁବିଧା ମୁତାବକ ପାଇପ ବିଛା ଯାଇଥିବାରୁ ୨୫ କୋଟି ଟଙ୍କାର ଏହି ପ୍ରକଳ୍ପ ଏବେ ଅଦରକାରୀ ହୋଇ ପଡିଛି  । ମାଟି ତଳେ ପୋତା ଯାଇଥିବା ପାଇପ ମଧ୍ୟ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଯୋଗୁଁ ଏହା ପାଣିର ପ୍ରେସରରେ ଅନେକ ଯାଗାରେ ଫାଟି ଯାଇ ପାଣି ନଷ୍ଟ ହେବା ସହ ଆଗକୁ ଯାଇ ପାରୁ ନାହିଁଁ  । ଏହି ସବୁ ଦୁରାବସ୍ଥା ଦେଖି ଏହି ଅଂଚଳରଚାଷୀ ଏବେ ନିରାଶ ଓ ହତାଶ ହୋଇ ସରକାରଙ୍କ ଉପରେ ରୋଷ ପ୍ରକାଶ କରିଛନ୍ତି  । ଧାନ ଅମଳର ଶେଷ ସମୟରେ ପାଣିର ଆବଶ୍ୟକତା ଥିବା ସ୍ଥଳେ ତିତିଲି ଓ ଲଘୁଚାପଜନିତ ବର୍ଷା ଏହି ଅଂଚଳକୁ ପହଂଚି ପାରି ନାହିଁ  । ଆଉ ଗୋଟିଏ ବର୍ଷାର ଆବଶ୍ୟକତା ଥିବା ବେଳେ ଅଂଚଳରେ ପୁଣି ବର୍ଷାଭାବ ସହ ଚାଷୀକୁ ଧୋକା ଦେଇଛି ଏହି ମେଗା ପ୍ରକଳ୍ପ ମଧ୍ୟ ।  ଯଦ୍ୱାରା ଏବେ ଚାଷୀର ଜମିରେ ମାଟି ଫାଟି ଆଁ କଲାଣି  । ତେଣୁ ଚାଷୀ ବାଧ୍ୟ ହୋଇ ନିଜ ଜମି ପାଶ୍ୱର୍ରେ ଥିବା ନଦୀ, କୁଅ, ବନ୍ଧରୁ ନିଜସ୍ୱ ଖର୍ଚ୍ଚରେ ପାଣି ମୋଟରରୁ ପାଣି ମଡାଇ ନିଜ ଚାଷକୁ ବଂଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି  । ଏହା ସହ ଚାଷୀ ନିଜେ ଅଙ୍ଗ ନଦୀରେ ଅସ୍ଥାୟୀ ବାଲିବନ୍ଧ ନିର୍ମାଣ କରି ଯେଉଁ କିଛି ଜମିରେ ପାଣି ପହଂଚୁଛି ସେଠାକୁ ଯେଭଳି ପାଣି ଠିକ ଭାବରେ ପହଂଚି ପାରିବ ତାର ବ୍ୟବସ୍ଥା କରୁଛନ୍ତି  । ଚାଷୀମାନେ ଅଙ୍ଗ ନଦୀର ଏହି ସ୍ଥାନରେ ଏକ ବ୍ୟାରେଜ ନିର୍ମାଣ କରାଗଲେ ଏହି ପ୍ରକଳ୍ପ ମାଧ୍ୟମରେ ଠିକ ଭାବରେ ପାଣି ଚାଷ ଜମିକୁ ପହଂଚି ପାରିବ ବୋଲି ଦାବୀ ଜଣାଇଛନ୍ତି  । ଏହି ବାବଦରେ ପଦ୍ମପୁର ଉପଜିଲ୍ଲାପାଳ ଅବଗତ ହେବା ପରେ ସେ ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ  ଜଣାଇବା ସହିତ  ଚଳିତ ବର୍ଷ ଧାନ ଅମଳ ପରେ ଚାଷୀମାନଙ୍କ ଏହି ସମସ୍ୟା ଓ ସମସ୍ତ ଅଭିଯୋଗ ଗୁଡିକର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି  ।

  ଜଳସେଚନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା ନ କରି ଏସି କୋଠରୀ ଭିତରେ ଯନ୍ତ୍ରୀମାନେ ପ୍ରକଳ୍ପର ଯୋଜନା ନିର୍ମାଣ କରୁଥିବାରୁ ଏପରି ଜନହିତକର ପ୍ରକଳ୍ପଗୁଡିକ ଚାଷୀଙ୍କ କୌଣସି କାମରେ ନ ଆସି ଫେଲ ମାରୁଛି  । ତେଣୁ  ପ୍ରକଳ୍ପ ଆରମ୍ଭଠାରୁ •ଷୀ ଜମିକୁ ପାଣି ପାଇବା ପର୍ଯ୍ୟନ୍ତ ଏହାକୁ ଠିକ ଭାବରେ ନିରିକ୍ଷଣ କରାଯିବାର ଆବଶ୍ୟକତା ରହିଛି  ।

Leave A Reply

Your email address will not be published.