ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 5T ରୂପାନ୍ତରିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତୃତୀୟ ବ୍ଳକ୍ ସ୍ତରୀୟ ସମ୍ମିଳନୀ

2

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର 314 ବ୍ଳକ୍ ରେ 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ମାନଙ୍କର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଳକ୍ ର 24ଟି 5T ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତୃତୀୟ ବ୍ଳକ୍ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୋ ସ୍କୁଲ୍ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜିକା ଗଜଲ୍ ସୋରେନ୍ ପରିଦର୍ଶନ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର,ସ୍କୁଲ୍ କ୍ଲବ୍ ଗଠନ,ହାଉସ୍ ସିଷ୍ଟମ୍,ୟୁନିଫର୍ମ୍ ପୋଷାକ ବିତରଣ, ବଜ୍ରପାତ ନିରୋଧକ ସ୍ଥାପନ, ରାଜ୍ଯ ମୁକ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ଥିତି, ଷାଣ୍ମାସିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ଓ କାରଣ, ଡ଼ିଜିଟାଲ ପାଠାଗାର ଓ ପୁସ୍ତକ, ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ନିଯୁକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା I ସେହିପରି ମାନ୍ୟବର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଜିଲ୍ଳା ଶିକ୍ଷା ଅଧିକାରୀଣି ଅମିତା ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ହାଇସ୍କୁଲ୍ ସାର୍ଟିଫିକେଟ ପରୀକ୍ଷାରେ କିପରି ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପରୀକ୍ଷାଫଳ ହେବ ସେ ଉପରେ ପ୍ରଧାନ ଶିକ୍ଷକ ମାନେ ଗୁରୁତ୍ବ ଦେବା ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା I ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଆସନ୍ତା ମାସରେ ପ୍ରଧାନ ଶିକ୍ଷକ ମାନଙ୍କର ଚତୁର୍ଥ ବ୍ଳକ୍ ସ୍ତରୀୟ ସମ୍ମିଳନୀ ବ୍ଳକ୍ ର ବୋରୀପଦର ସ୍ଥିତ ଶାକମ୍ବରୀ ବିଦ୍ୟାପୀଠରେ ଅନୁଷ୍ଠିତ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା I ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.