ଗଜପତିରୁ କନ୍ୟାରତ୍ନ କୁ କୋଳେଇ ନେଲେ ତେଲେଙ୍ଗାନା ଦମ୍ପତ୍ତି

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୦ ତମ ଶିଶୁକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ତେଲେଙ୍ଗାନା ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ଲାଳନ ପାଳନ କରିବାରେ ଅକ୍ଷମ ଏକ ପରିବାର ଉକ୍ତ ଶିଶୁଟିକୁ ଶିଶୁ ମଙ୍ଗଳ ସମିତି ଆଗରେ ସମର୍ପଣ କରିଦେଇଥିଲେ। ପରେ ଶିଶୁ ମଙ୍ଗଳ ସମିତି ର ନିର୍ଦ୍ଦେଶ କ୍ରମେ ଶିଶୁଟିର ଯତ୍ନ ଓ ସୁରକ୍ଷା ନିମନ୍ତେ ଜିଲ୍ଲାରେ ଥିବା ଏକମାତ୍ର ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “ନିସାନ୍ ସାଲୋମ୍” ଅନୁଷ୍ଠାନରେ ରଖି ତାହର ସମସ୍ତ ଯତ୍ନ ଏବଂ ସୁରକ୍ଷା ଦେଇ ଆସୁଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି , ଗଜପତି ଶିଶୁଟିକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁର ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ , ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା।
ପରବର୍ତ୍ତି ମୁହୁର୍ତ୍ତରେ ପ୍ରାୟ ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ତେଲେଙ୍ଗାନା ରାଜ୍ୟର ଏକ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ଦମ୍ପତ୍ତି ଶାରିରୀକ ସ୍ତରରେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ , ଗଜପତି ପ୍ରସ୍ତୁତ କରିଥିଲେ। ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ତେଲେଙ୍ଗାନା ରାଜ୍ୟର ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଥିଲେ। ଏହି ଶିଶୁଟି କନ୍ୟାରତ୍ନ ହୋଇଥିଲା ବେଳେ ଏହାର ବୟସ ମାତ୍ର ୮ ମାସ ହୋଇଥିଲା। ଶିଶୁଟିକୁ ପାଇ ଦମ୍ପତ୍ତି ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ହସ୍ତାନ୍ତର ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ ଡ଼ଃ. ଗୁଣନିଧି ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରୀପାଠୀ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର , ସଭ୍ୟ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପାଣି , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.