ପୂରଣ ହେବାକୁ କୁ ଯାଉଛି ନିଳାଥର ବାସୀ ଙ୍କର ସ୍ୱପ୍ନ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ନୂଆପଡା କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ବର୍ତ୍ତମାନ ଅଞ୍ଚଳର ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବରତୁଣ୍ଡା ଗ୍ରାମରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ରହିଛି କାଁସଡା ପଞ୍ଚାୟତ ର ନିଳାଥର ଗ୍ରାମ । ବିଜୁ ଏକ୍ସପ୍ରେସ ୱେ ରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମ ତଥା କାଁସଡା ଗ୍ରାମ ପଞ୍ଚାୟତ ର ଅନ୍ୟାନ୍ୟ ଗ୍ରାମ ର ଲୋକଙ୍କୁ ବର୍ଷା ଋତୁରେ ବା ଅଦିନିଆ ବର୍ଷା ପରେ , ଏହି ଏକ କିଲୋମିଟର ଦୂରରେ ଥିବା ରାସ୍ତା , ଦୁଇ ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ଚିରସ୍ରୋତା ଅଙ୍ଗ ନଦୀ ପାଇଁ ପ୍ରାୟ 15 ରୁ 17 କିଲୋମିଟର ପଡ଼ିଯାଏ । ଯାହା ଫଳରେ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଛାତ୍ରୀ , ଚିକିତ୍ସା ପାଇଁ ଯାଇଥିବା ରୋଗୀ ଓ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଓ ବ୍ୟବସାୟ ପାଇଁ ପାଇକମାଲ, ନୂଆପଡା, ପଦ୍ମପୁର ଉପରେ ନିର୍ଭର କରୁଥିବା ଲୋକଙ୍କୁ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିଲା । ବର୍ଷା ଋତୁ ପରେ ନିଲାଥର ଗ୍ରାମବାସୀ ନିଜ ନିଜ ଭିତରେ ପ୍ରାୟ ଦୁଇଲକ୍ଷ ଟଙ୍କା ଚାନ୍ଦା କରି ତଥା ଗ୍ରାମର ସମସ୍ତେ ଶ୍ରମଦାନ ଜରି ଏକ ଅସ୍ଥାୟୀ ପୋଲ ନିର୍ମାଣ କରୁଥିଲେ । ଏହି ପ୍ରକ୍ରିୟା ପ୍ରତେକ ବର୍ଷ ଲାଗି ରହିଥିଲା ।
ନିଲାଥର ବାସୀ ତାଙ୍କର ସମସ୍ୟା ନେଇ ତତ୍କାଳୀନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କୁ ଜଣାଇ ଏକ ପୋଲ ପାଇଁ ଦାବି କରିଥିଲେ । ସ୍ବର୍ଗତ ବିଧାୟକ ଏହି ସମସ୍ୟା କୁ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ବିଭାଗ ର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଜଣାଇ ଏକ ସେତୁ ନିର୍ମାଣ ପାଇଁ ଲୋକଙ୍କ ଦାବି ଥିବା କଥା କହିଥିଲେ । ସମସ୍ତ ପ୍ରକ୍ରିୟା ପୂର୍ଣ୍ଣ ହେବା ପରେ ସେତୁ ନିର୍ମାଣ କାର୍ୟ୍ଯ ଆରମ୍ଭ ହୋଇଥିଲା । ପ୍ରାୟ 7 କୋଟି 63 ଲକ୍ଷ 19 ହଜାର ଟଙ୍କା ବ୍ୟୟ ବରାଦ ରେ , ପ୍ରାୟ 127 ମିଟର ସେତୁ ନିର୍ମାଣ ସହିତ ପ୍ରାୟ 500 ମିଟର ର ଆପ୍ରୋଚ ରାସ୍ତା ରହିଛି । ବର୍ତ୍ତମାନ ଏହି ସେତୁର ଉଭୟ ସାଇଡର କମ୍ପାଣ୍ଟମେଣ୍ଟ ସହିତ ଚାରି ଗୋଟି ପିଲର ସମ୍ପୁର୍ଣ୍ଣ ଉଠି ସାରିଥିବା ବେଳେ ନିଳାଥର ଗ୍ରାମ ଆଡୁ ,କମ୍ପାଣ୍ଟମେଣ୍ଟ ଓ ପ୍ରଥମ ପିଲର କୁ ସଂଯୋଗ କରିବା ପାଇଁ ଢଳେଇ କାମ ପାଇଁ ପ୍ରସ୍ତୁତି ଚାଲିଛି । ବର୍ଷା ଋତୁରେ ନଇଁ ରେ ପାଣି ଥିବା କାରଣରୁ କାମ ବହୁତ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ କାମର ଗତି ବୃଦ୍ଧି ପାଇଥିବା ଜଣା ପଡୁଛି ।
ବହୁ ଦିନର ସ୍ଵପ୍ନ ଓ ତାଙ୍କର ଆବଶ୍ୟକତା ଅତି ଶୀଘ୍ର ପୂରଣ ହେବାକୁ ଯାଉଛି । ଏଥିପାଇଁ ସମଗ୍ର କାଁସଡା ପଂଚାୟତ ବାସୀ ମୁଖ୍ୟତଃ ନିଲାଥର ବାସୀ ଙ୍କର ଖୁସି କହିଲେ ନ ସରେ । ଏହି ସେତୁ ନିର୍ମାଣ ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ମନ୍ତ୍ରୀ ଭାବରେ ଲୋକଙ୍କ ଦାବି ଅନୁସାରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସେତୁର ନିର୍ମାଣ ଆରମ୍ଭ ଜରାଇଥିବା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ଓ କ୍ରମାଗତ ଭାବରେ ସେତୁ ର ନିର୍ମାଣ କାର୍ୟ୍ଯ ତଦାରଖ ଓ ସମୀକ୍ଷା କରୁଥିବା ବିଧାୟିକା ବର୍ଷା ସିଂ ବରିହା ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳ ବାସୀ ।।