୧୨ କୁଇଣ୍ଟାଲ ଭାଙ୍ଗ ସହିତ ୩ କିଲୋ ଗଞ୍ଜେଇ ଓ ପିକଅପ୍ ଭ୍ୟାନ ଜବତ୍, ୨ ଅଭିଯୁକ୍ତ ଗିରଫ

2

ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଧରିଥିବା ୪୦ ବସ୍ତାରୁ ୧୨ କୁଇଣ୍ଟାଲ ଭାଙ୍ଗ ସହ ୩ କିଲୋ ଗଞ୍ଜେଇ ଏବଂ ଚାଲାଣରେ ବ୍ୟବହୃତ ଓଡ଼ି ୦୨ସିବି୬୨୮୧ ନଂ ବିଶିଷ୍ଟ ପିକଅପ ଭ୍ୟାନକୁ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ଦୁଇଜଣ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଥାନା ଅନ୍ତର୍ଗତ ଦାମୀଗୁଡା ଗ୍ରାମର ଶ୍ୟାମସୁନ୍ଦର ନାଇକ (୩୫) ଓ ସୁଶୀଳ ଦେହୁରୀ (୨୩)। ସୂଚନା ଅନୁଯାୟୀ ସୋମବାର ସକାଳ ସମୟରେ ତପ୍ତପାଣି ଜଙ୍ଗଲ ମଧ୍ୟରୁ ଖୋର୍ଦ୍ଧା ଅଭିମୁଖେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଏସଆଇ ଚକ୍ରଧର ସିଂ, ସ୍ୱାଗତ ଦାସ ଏବଂ ଏ.ଏସ.ଆଇ. ମନୋଜ ପାତ୍ର ଓ ଟିମ ଭୁବନେଶ୍ବର-ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥର ଓଡ଼ଗାଁ-ରଙ୍ଗଣୀପାଟଣା ରାସ୍ତା ଟିଭିଏସ ସୋ ରୁମ ଠାରେ ଜଗିରହି ଗାଡ଼ିକୁ ଅଟକାଇ ଥିଲେ । ସେଠାରୁ ଦୁଇ ଅଭିଯୁକ୍ତଙ୍କ ସମେତ ଭାଙ୍ଗ ଲୋଡ୍ ପିକଅପ୍ ଭ୍ୟାନକୁ ଜବତ କରିବାରେ ସଫଳ ହୋଇଥିଲେ। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ୭ ଲକ୍ଷ ୫୦ ହଜାର ଏବଂ ଗଞ୍ଜେଇର ମୂଲ୍ୟ ୩୦ ହଜାର ମୋଟ ୭ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ଓଡ଼ଗାଁ ପୁଲିସ ୨୮୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.