ନିଶ୍ଚିନ୍ତକୋଇଲି ପୋଲିସ ପେଟ୍ରୋଲିଂ ଗାଡ଼ି ପକ୍ଷରୁ ଚଢାଉ ପରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ ଏବଂ ଜଣେ ଫେରାର

3

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଚୋରି ଓ ଅପରାଧ ଘଟାଇବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନିଶ୍ଚିନ୍ତକୋଇଲି ପୋଲିସର ରାତ୍ରକାଳୀନ ପେଟ୍ରୋଲିଂ ସମୟରେ ଧରା ପଡିଯାଇଥିଲେ ଅପରାଧୀ l  ପୋଲିସ କୁ ଦେଖି ଭୟଭୀତ ହୋଇ ଅପରାଧିଙ୍କ ପକ୍ଷରୁ ପୋଲିସ ଗାଡ଼ି ଉପରକୁ ଦୁଇ ରାଉଣ୍ଡ ଗୁଳି କରାଯାଇଥିଲା । ସେଥୁରୁ ରକ୍ଷା ପାଇବା ପାଇଁ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନ କରାଯାଇଥିଲା । ଶନିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ତ ଅସୁରେଶ୍ଵର ଫୁଟବଲ ଖେଳ ପଡ଼ିଆରେ କେତେକ ଅପରାଧି ଅପରାଧିକ କାର୍ଯ୍ୟ କରିବା ପାଇଁ ସଜବାଜ ହେଉଥିଲେ । ଘଟଣା ଜଣାପଡ଼ିବା ପରେ ପୋଲିସ ପେଟ୍ରୋଲିଂ ଗାଡ଼ି ସେଠାରେ ପହଞ୍ଚିବାରୁ ସେହି ଅପରାଧୀମାନେ ପୋଲିସ ଗାଡ଼ି ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ସେଠାରୁ ଖସି ପଳାଇଯିବା ପାଇଁ ଉଦ୍ୟମ କରିଥିଲେ । ଉକ୍ତ ଦୁଇଟି ଗୁଳି ପୋଲିସ ଭ୍ୟାନ୍ ଡ଼ୋର ନିକଟରେ ବାଜିଥିଲାବେଳେ କାହାର ସେଭଳି ବିଶେଷ କ୍ଷତି ହୋଇନଥିଲା । ଏହି ସମୟରେ ଭ୍ୟାନରେ ଥିବା ଏସଆଇ ତପନ କୁମାର ନାୟକ ନିଜକୁ ରକ୍ଷା କରିବା ପାଇଁ ଏନକାଉଣ୍ଟର କରିଥିଲେ। ପୋଲିସର ଉକ୍ତ ଗୁଳିଟି ଦୁର୍ଦ୍ଦାନ୍ତ ଅପରାଧ ସୁଶାନ୍ତ କୁମାର ସାହୁ ଓରଫ ଲିପୁ (୩୫) ଙ୍କ ବାମ ଗୋଡ଼ରେ ବାଜିଥିଲା । ଫଳରେ ସେ ସେଠାରେ ପଡ଼ିଯାଇଥିଲାବେଳେ ଅନ୍ୟମାନେ ଖସି ପଳାଇ ଯାଇଥିଲେ । ପୋଲିସ ତାଙ୍କୁ ଆଣି ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ପରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିଲା । ଦୁର୍ଦାନ୍ତ ଲିପୁ ଏବେ ଚିକିତ୍ସାଧୀନ ରହିଥିବାବେଳେ ଅବସ୍ଥା ଭଲ ଥିବା ପୋଲିସ ପ୍ରକାଶ କରିଛି । ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ସମ୍ପୃକ୍ତ ଦୁର୍ଦ୍ଦାନ୍ତ ସୁଶାନ୍ତ ଙ୍କ ଘର ଜଗତସିଂପୁର ଜିଲ୍ଲା ତିର୍ତୋଲ ଥାନା ବାଲିପାଟଣା ଗ୍ରାମରେ ଅଟେ । ତାଙ୍କ ନାମରେ ରାଜ୍ୟର ବାଲେଶ୍ବର ଜିଲ୍ଲା ଠାରୁ ଆରମ୍ଭ କରି ବରହମପୁର ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ୫୫ ରୁ ଉର୍ଦ୍ଧ୍ବ ଚୋରି, ଡ଼କାୟତି, ରାହାଜାନୀ ଓ ବିଭିନ୍ନ ଅପରାଧ ମାମଲା ରହିଛି। ଓଡ଼ିଶା ପୋଲିସକୁ ଚକମା ଦେଖାଇ ସେ ଫେରାର ହୋଇ ଗୋଟିକ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବାବେଳେ ରାଜ୍ୟ ପୋଲିସ ବିଭାଗ ତାଲିକାରେ ମୋଷ୍ଟ ୱାଣ୍ଟେଡ ଅପରାଧ ଭାବେ ତାଙ୍କ ନାମ ରହିଛି। ବିଶେଷ କରି ନିକଟ ଅତୀତରେ ହୋଇଥିବା ମାହାଙ୍ଗା ଅଞ୍ଚଳର ଏକ ବଡ଼ଧରଣର ଚୋରିରେ ସେ ସମ୍ପୃକ୍ତ ଥିବା ବେଳେ ବିଭିନ୍ନ ଅପରାଧିକ ଘଟଣାରେ ମଧ୍ୟ ସମ୍ପୃକ୍ତି ରହିଥିବା ଜଣାଯାଇଛି । ସୁଶାନ୍ତ ଙ୍କ ସହଯୋଗୀମାନଙ୍କୁ ପୋଲିସ ଗିରଫ କରିପାରିନଥିବାବେଳେ ଏହାର ତଦନ୍ତ ପାଇଁ ରବିବାର ପୂର୍ବାହ୍ନରେ ସାଇଣ୍ଟିଫିକ ଟିମ୍ ଙ୍କ ସହିତ ସାଲେପୁର ଉପଖଣ୍ଡ ଥାନା ଅଧିକାରୀ,ମାହାଙ୍ଗା ଥାନା ଅଧିକାରୀ ଓ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ପଡ଼ିଥିବା ଏକ ବନ୍ଧୁକ, ତିନିରାଉଣ୍ଡୁ ଗୁଳି ଜବତ କରିଥିଲା ବେଳେ ଗୁଳି ମାଡ଼ରେ ରକ୍ତ ଭିଜା ସ୍ଥାନରେ ଫଟୋ ଉଠାଇ ନେଇଥିବା ଜଣାଯାଇଛି। ବିଭିନ୍ନ ଦିଗରୁ ଉକ୍ତ ଘଟଣାର ତଦନ୍ତ ପ୍ରକିୟା ଜାରି ରହିଥିବାବେଳେ ଖୁବ ଶୀଘ୍ର ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରାଯିବା ସହ ଘଟଣାର ପଦ୍ଦାଫାସ ହେବ ବୋଲି ନିଶ୍ଚିନ୍ତକୋଇଲି ଆଇଆଇସି ଯୁଗଳକିଶୋର ଦାସ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.