ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ଘୁମୁସର ମାଟିର ଅନନ୍ୟ ଆରାଧ୍ଯ ଦେବୀ ମାଆ ବୁଢାକେନ୍ଦୁଙ୍କ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଚଳିତ ବର୍ଷ ଏହି ଐତିହାସିକ ପର୍ବରେ ପୂର୍ବ ବର୍ଷ ଗୁଡ଼ିକର ରେକର୍ଡ଼ ଭଙ୍ଗ କରି ଦେଢ଼ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି I ମନ୍ଦିର ପରିଚାଳନା କମିଟିର ପୂର୍ବ ନିଷ୍ପତି କ୍ରମେ ଆଜି ଭୋର୍ ଚାରିଟାରେ ମାଆଙ୍କ ଦ୍ୱାର ଫିଟାଯିବା ସହିତ ରୀତିନୀତି ପୂର୍ବକ ମାଜଣା ଏବଂ ଆଳତି ଅନୁଷ୍ଠିତ ହୋଇଥିଲା I ସକାଳ ଛଅ ଘଣ୍ଟା ସମୟରେ ମାଆଙ୍କର ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଥିଲା I ସକାଳୁ ସକାଳୁ ହିଁ ମାଆଙ୍କ ଦର୍ଶନ ପାଇଁ ଭିଡ଼ ବଢ଼ିବା ସହିତ ଦିନ ଦଶଟା ବେଳକୁ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା I ଗଞ୍ଜାମ ଜିଲ୍ଳା ସମେତ ପଡ଼ୋଶୀ କନ୍ଧମାଳ, ଗଜପତି ଏବଂ ନୟାଗଡ଼ରୁ ମଧ୍ୟ ବହୁ ଭକ୍ତଙ୍କ ସୁଅ ଛୁଟିଥିଲା I କ୍ଷତ୍ରିୟବରପୁର ଠାରୁ ମାଆଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ଜନ ସମୁଦ୍ର ସୃଷ୍ଟି ହୋଇଥିଲା I ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହିତ ଯାନବାହନର ପାର୍କିଂ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା I ଭକ୍ତଙ୍କ ଗହଳି ସହିତ ଶହ ଶହ ପସରା ଉତ୍ସବକୁ ଦ୍ୱିଗୁଣିତ କରିଥିଲା I ବିଶେଷ କରି ବିଭିନ୍ନ ଘର କରଣା ସାମଗ୍ରୀର ଷ୍ଟଲ୍ ନିକଟରେ ମହିଳା ମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା ବେଳେ ଆଇସ୍କ୍ରିମ୍,ଖେଳଣା ଷ୍ଟଲ୍ ରେ ଛୋଟ ପିଲା ଏବଂ ବିଭିନ୍ନ ଫାଷ୍ଟ ଫୁଡ୍ ଷ୍ଟଲ୍ ରେ ଯୁବ ଗୋଷ୍ଠୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା I କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍ କ୍ରସ୍ ,ରେଡ଼୍ ରିବନ୍,ସ୍କାଉଟ୍ ଏବଂ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ କରିବା ସହ ନିଶା ନିବାରଣ ସଚେତନତା ବାର୍ତ୍ତା ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଥିଲା I ଏହି ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଷ୍ଟଲ୍ ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମାଆଙ୍କ କାନିକା ଭୋଗ ବଣ୍ଟନ କରାଯାଇଥିଲା I ଭଞ୍ଜନଗର ଆଡିସନାଲ୍ ଏସ୍.ପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ ଜେନାଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ,ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସମେତ ଚାରି ପ୍ଲାଟୁନ ପୋଲିସ୍ ବାହିନୀ,ଆଇଆରବି ଯବାନ୍ ଏବଂ ଓ.ଏସ୍.ପି ଯବାନ୍ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I ବିଶେଷ କରି କିଛି ଯୁବକ ଗହଳି ସ୍ଥାନରେ ଉଚ୍ଚ ଶବ୍ଦରେ ପେଁକାଳୀ ବଜାଇ ଦର୍ଶକଙ୍କୁ ବିରକ୍ତ କରୁ୍ଥିବା ବେଳେ ପୋଲିସ୍ କର୍ମଚାରୀମାନେ ସେମାନଙ୍କୁ ତାଗିଦ୍ କରିଥିଲେ I ପୋଲିସ୍ ର ଏହି ପଦକ୍ଷେପକୁ ଭକ୍ତମାନେ ଉଚ୍ଚ ପ୍ରଶଂସା କରିଥିଲେ I ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି, ସ୍ଵେଚ୍ଛାସେବୀ, ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଉତ୍ସବରେ ପୂର୍ଣ୍ଣ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post