ଉଦଯାପିତ ହେଲା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

0 2

ସ୍ବତନ୍ତ୍ର ଉନ୍ନୟନ ପରିଷଦ ଯୋଗୁଁ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି ଜନଜାତି ସମ୍ପ୍ରଦାୟ : ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି

  • • ଆଦିବାସୀ ହାଇସ୍କୁଲ ଗୁଡିକରେ 100 ଟି ଜନଜାତି ଭାଷା ଲ୍ୟାବ୍ କରାଯିବ ନିର୍ମାଣ

  • • ଆଦିବାସୀ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇ 3 ଗୋଟି ଫଟୋ ବୁକ୍ କରାଯିବ ପ୍ରସ୍ତୁତ

ଭୁବନେଶ୍ବର: ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ବର୍ତ୍ତମାନ ମୁଖ୍ୟସ୍ରୋତରେ ଜନଜାତି ସମ୍ପ୍ରଦାୟ ସାମିଲ ହୋଇପାରିଛନ୍ତି । ଜନଜାତି ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ଉଚ୍ଚଶିକ୍ଷିତ ହେଉଛନ୍ତି । ସବୁ କ୍ଷେତ୍ରରେ ସେମାନେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣି ଦେଉଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି । ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଏସସିଏସଟିଆରଟିଆଇ ) ରେ ଆୟୋଜିତ ହୋଇଥିବା ଦୁଇ ଦିନିଆ ଜନଜାତି କବି ସମ୍ମିଳନୀର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମାର୍ଣ୍ଡି କହିଛନ୍ତି, ଗାଁ-ଗାଁରେ ଜନଜାତୀୟ ଗୌରବ ଦିବସ ପାଳନ ହେବା ଆବଶ୍ୟକ । ଏହାଦ୍ବାରା ପ୍ରତ୍ୟେକ ଗାଁରେ ଜନଜାତିଙ୍କ କାହାଣୀ ପହଞ୍ଚିବା ସହ ଆମ ଦେଶ ପାଇଁ ବଳିଦାନ ଦେଇଥିବା ଜନଜାତି ସଂଗ୍ରାମୀଙ୍କ ବିଷୟରେ ଜନସାଧାରଣ ଜାଣିବାକୁ ପାଇବେ ।

ଉଦଯାପନୀ କାର୍ଯ୍ୟକ୍ରମରେ 23 ଜଣ ଜନଜାତି କବି କବିତା ପାଠ କରିଥିଲେ । ହୋ ସମ୍ପ୍ରଦାୟରୁ 5 ଜଣ, ମୁଣ୍ଡାରୀ ସମ୍ପ୍ରଦାୟରୁ 5 ଜଣ, ସାନ୍ତାଳୀ ସମ୍ପ୍ରଦାୟରୁ 6 ଜଣ, ଖଡିଆ ସମ୍ପ୍ରଦାୟରୁ 2 ଜଣ, କିସାନ ସମ୍ପ୍ରଦାୟରୁ 2 ଜଣ, ଭୂମିଜ ସମ୍ପ୍ରଦାୟରୁ ଜଣେ, ଓରାଓଁ ସମ୍ପ୍ରଦାୟରୁ ଜଣେ, ମୁଣ୍ଡା ସମ୍ପ୍ରଦାୟରୁ ଜଣେ କବି ଜନଜାତିଙ୍କ ଐତିହ୍ୟ, ସଂସ୍କୃତି, ଖାଦ୍ୟପେୟ. ବେଶଭୂଷା ସମ୍ପର୍କରେ କବିତା ପାଠ କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଚୈତନ୍ୟ ପ୍ରସାଦ ମାଝୀଙ୍କ ସଂଯୋଜନାରେ ପ୍ରକାଶ ପାଇଥିବା ସାନ୍ତାଳୀ ଅଭିଧାନକୁ ମୁଖ୍ଯ ଅତିଥି ଶ୍ରୀ ସୁଦାମ ମାର୍ଣ୍ଡିଙ୍କୁ ପ୍ରଦାନ କରାଯିବା ସହ ଜନଜାତି ଚିତ୍ରଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଫଟୋଚିତ୍ର ଦେଇ ସମ୍ମାନିତ କରାଯାଇଛି ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭାଗର ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଯୋଗ ଦେଇ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଛନ୍ତି, ଜନଜାତି ସମ୍ପ୍ରଦାୟରୁ ଅଧିକ ଲୋକେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିଛନ୍ତି । ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହାଇସ୍କୁଲ ଗୁଡିକରେ 100 ଟି ଜନଜାତି ଭାଷା ଲ୍ୟାବ୍ ନିର୍ମାଣ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି । ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ କେବଳ ଭିତ୍ତିପ୍ରସ୍ତର ନୁହେଁ ବରଂ ଜ୍ଞାନ ବୃଦ୍ଧି ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ଆଦିବାସୀ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଇ 3 ଗୋଟି ଫଟୋ ବୁକ୍ ପ୍ରସ୍ତୁତ କରାଯିବ । ଜନଜାତି ସଂସ୍କୃତି ପ୍ରଗତି ହିଁ ବିଭାଗର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଶା ଭାଷା ବିଭାଗର ପୂର୍ବତନ ପ୍ରଫେସର ଡ଼ ପ୍ରମୋଦ କୁମାର ପରିଡା ଯୋଗ ଦେଇ ସାହିତ୍ୟ ଓ କବିତା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି, କବିତା ବାସ୍ତବିକତାକୁ ବର୍ଣ୍ଣନା କରେ । ଅତୀତର କଥାବସ୍ତୁକୁ ନେଇ କବିତା ରଚନା କରାଯାଏ । ଜଡଧର୍ମ, ଜୀବଧର୍ମ, ଦେବଧର୍ମକୁ କବିତାର ଜନ୍ମ । ବିଭାଗର ଅର୍ଥ ପରାମର୍ଶଦାତା ତଥା ସ୍ବତନ୍ତ୍ର ସଚିବ ଶ୍ରୀ ବିଜୟ ବସନ୍ତ ଖାଲକୋ ଯୋଗ ଦେଇ ଜନଜାତି ଭାଷା ସଂରକ୍ଷଣକୁ ଗୁରୁତ୍ବ ଦେଇଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣୀ ତ୍ରିପାଠୀ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ସଂଯୋଜନା କରିଛନ୍ତି ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଓ ଧନ୍ୟବାଦ ଅର୍ପଣ କରିଛନ୍ତି ସହକାରୀ ନିର୍ଦ୍ଦେଶିକା ମଧୁସ୍ମିତା ସାହୁ ।

Leave A Reply

Your email address will not be published.