ଓଡ଼ଗାଁ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ପାଳିତ

0

ଓଡ଼ଗାଁ,୧୪।୧୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ବର୍ଣ୍ଣ କଳଶ କ୍ଷେତ୍ର ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କ ଗିରି ଗୋବର୍ଦ୍ଧନ ଉତ୍ସବ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁଙ୍କର ସନ୍ଧ୍ୟା ଆଳତି ପରେ ୩ ଠାକୁରଙ୍କ ଚଳନ୍ତି ପ୍ରତିମା ସିଂହାସନରୁ ଆସି ବିମାନରେ ବିଜେ କରିଥିଲେ । ରୋଷଣୀ ଜାଳି ଘଣ୍ଟ ଘଣ୍ଟା ମୃଦଙ୍ଗ, କାହାଳୀ, ଛତି ତ୍ରାସ ଧରି ଥାଟ ପାଟ ପଟୁଆରରେ ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରି ଠାକୁରଙ୍କ ତତ୍କାଳିନ ଦଶହରା ପଡିଆ ତହସିଲ କାର୍ଯ୍ୟାଳୟ ମଧ୍ୟସ୍ଥ ମଣ୍ଡପରେ ବିଜେ କରିଥିଲେ । ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀଙ୍କ ଦ୍ବାରା ସଂସ୍କାର ହୋମ ହେବା ସରିବା ପରେ ୧୨ ବୋଝ ଚୁଡାଘଷା ଏବଂ ୩ ଆଟିକା ଦୁଗ୍ଧ ଚୁଡା ପ୍ରଭୁଙ୍କ ପାଖରେ ଲାଗି ହୋଇଥିଲା । ପୂଜାପଣ୍ଡା ପ୍ରଦ୍ୟୁମ୍ନ ଦାଶ ଷୋଡ଼ଶ ଉପଚାରରେ ପରମ୍ପରା ଗତ ରାଜଭୋଗ ଅର୍ପଣ କରିଥିଲେ । ଉତ୍ସବ ସମୟରେ ତହସିଲଦାର ମାନସ ରଞ୍ଜନ ଭୋଇ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ବାଇଁ, ମନ୍ଦିର ସୁପରଭାଇଜର ଜୀତେନ୍ଦ୍ର ମିଶ୍ର, ରଙ୍ଗଣୀପାଟଣା ସୁବୁଦ୍ଧି ପରିବାର ପ୍ରତିନିଧିଙ୍କ ସହିତ ଓଡ଼ଗାଁ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ।

ସୂଚନା ଥାଉକି ରଙ୍ଗଣୀପାଟଣା ବଡ଼ସାହି ସୁବୁଦ୍ଧି ପରିବାର ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ବଂଶାନୁକ୍ରମିକ ଭାବେ ଦିପାବଳୀ ଅମାବାସ୍ୟା ପରଦିନ ରାତିରେ ଏହି ଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରିଆସୁଛନ୍ତି । ୧୨ ବୋଝ ଚୁଡାଘଷା ସହିତ ୩ ଆଟିକା ଦୁଗ୍ଧ ଚୁଡାର ଅଧା ଅଂଶ ସାଧାରଣ ଭକ୍ତଙ୍କ ଉଦ୍ଦେଶ୍ୟରେ ବଣ୍ଟନ ପାଇଁ ଉତ୍ସର୍ଗ କରାଯାଇଥିବା ବେଳେ ଅବଶିଷ୍ଟ ଭୋଗକୁ ଦାତା, ମନ୍ଦିର ପ୍ରଶାସନ, ପୂଜକ ପରିଷଦ, ଓ ସେବକ ସୁଆର ପରିଷଦ ମାନଙ୍କ ମଧ୍ୟରେ ବଣ୍ଟନ କରିବାର ବ୍ୟବସ୍ଥା ରହିଛି । ପ୍ରଭୁଙ୍କର ଏହି ଅନନ୍ୟ ପରମ୍ପରା ଦର୍ଶନ ସହିତ ଭୋଗ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.