“ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି ନବୀନ ସରକାର”

0 2

କଂଗ୍ରେସ ପକ୍ଷରୁ ଡିସେମ୍ବର ୧ ରେ ତୁଳସୀ ଯାତ୍ରା – ଶରତ ପଟ୍ଟନାୟକ

  • ଲେଜର ସ୍କାନିଂ ନୁହେ, ରତ୍ନଭଣ୍ଡାର ଭିତର ଦ୍ୱାରକୁ ଖୋଲଯାଇ ଗଣତି, ମଣତି ଓ ମରାମତି କରାଯାଉ : ପ୍ରସାଦ ହରିଚନ୍ଦନ

  • ଦାବି ପୂରଣ ନହେବାଯାଏ ଧାରାବାହିକ ଭାବରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ: ପଞ୍ଚାନନ କାନୁନଗୋ

ଭୁବନେଶ୍ବର ତା. ୧୩.୧୧- ନବୀନ ସରକାର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡ଼ା ହେଉଛନ୍ତି । ପୁରୀ ଶ୍ରୀମନ୍ଦିରର ଚାରିଦ୍ଵାର ଖୋଲିବା, ରତ୍ନ ଭଣ୍ଡାରର ଗଣତି, ମଣତି ଓ ମରାମତି ଏବଂ ବେଦାନ୍ତ ଅଧ୍ଯକୃତ ଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ ଚାଷୀଙ୍କ ଜମିକୁ ଫେରସ୍ତ ସମେତ ଅନ୍ୟାନ୍ୟ ସମୁଦାୟ ୬ ଗୋଟି ଦାବିକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗତ ଅକ୍ଟୋବର ୧୬ ରେ ପୁରୀ ଠାରେ ବିଶାଳ ସମାବେଶ ଓ ବିକ୍ଷୋଭ ଶୋଭାଯାତ୍ର କରାଯାଇ ମାନନୀୟ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଅକ୍ଟୋବର ୨୯ ସୁଧା ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଯେହେତୁ ସରକାର ଏ ସମ୍ପର୍କରେ ପଦକ୍ଷେପ ନେଲେ ନାହିଁ ତେଣୁ ସେହି ୬ ଗୋଟି ଦାବିର ସମାଧାନ ନିମନ୍ତେ ସାରା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ ଗତ ନଭେମ୍ବର ୯ ତାରିଖରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଥିଲା । ଯେହେତୁ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଷ୍ପତି ନିଆଯାଇଥୁଲା ଯେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ, ସେହି କ୍ରମରେ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ତୁଳସୀ ଯାତ୍ରା କରା‌ଯିବ” ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟର ସମସ୍ତ ବ୍ଲକ ଓ ନଗରର ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ, ଭତ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ହବିଷ୍ୟାଳି, ଭତ୍ତ, ମଉସା ମାଉସୀ, ଭାଇ ଭଉଣୀ ଙ୍କ ଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ବାବଧାନରେ ନଗର/ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ । ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଡିସେମ୍ବର ୧ ତାରିଖ ସୁଦ୍ଧା ଭୁବନେଶ୍ବର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଆଣିବେ । ଡିସେମ୍ବର ୧ ତାରିଖ ଦିନ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଏବଂ ସଳ ତୁଳସୀ ଧରି ଶ୍ରୀକ୍ଷେତ୍ର ଅଭିମୁଖେ ତୁଳସୀ ଯାତ୍ରା କରାଯିବ । ଉକ୍ତ ୧ ତାରିଖ ଦିନ ଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଜଗନ୍ନାଥ ପ୍ରେମୀ ଭକ୍ତ, କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହେବେ ଏବଂ ଶୋଭାଯାତ୍ରାରେ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ଅର୍ପଣ କରିବେ । ଯଦି ଏହି ଆନ୍ଦୋଳନ ପରେ ସରକାର ଏହି ୬ ଗୋଟି ଦାବିର ସମାଧାନ ପଦକ୍ଷେପ ଗ୍ରହଣ ନକରିବେ ତେବେ ଆନ୍ଦୋଳନର ପରବର୍ତୀ କାର୍ଯ୍ୟକ୍ରମ ଘୋଷଣା କରାଯିବ । ଓଡ଼ିଶା, ଭାରତ ଏବଂ ବିଶ୍ଵର ଜନତା ଜଗନ୍ନାଥଙ୍କ ପାଖକୁ ନିଜର ଗୁହାରୀ ଶୁଣାଇବାକୁ ଆସୁଛନ୍ତି । ମାତ୍ର ନବୀନ ସରକାର ଏଥିରେ ପ୍ରତିବନ୍ଧକ ସାଳୁଛନ୍ତି । ନିକଟରେ ଦର୍ଶନ ପାଇଁ ଆସି ଘଂଟା ଘଂଟା ଧରି ଧାଡ଼ିରେ ଠିଆହୋଇଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆଘାତ ହୋଇଛନ୍ତି । ଭକ୍ତଙ୍କ ଗୋଡ଼ ଭାଙ୍ଗିଯାଇଛି । ଅନେକ ଭକ୍ତ ମୂର୍ଚ୍ଛା ହୋଇପଡ଼ୁଛନ୍ତି । ଯାହାର ପ୍ରଭାବ ନବୀନ ସରକାରଙ୍କ ଉପରେ ପଡ଼ୁନାହିଁ । ୪ ଧାମରୁ ଜଗନ୍ନାଥ ମନ୍ଦିର ଏକ ଧାମ । ଜଗନ୍ନାଥଙ୍କ ଭକ୍ତମାନେ ଜଗନ୍ନାଥଙ୍କୁ ନିଜର ଦୁଃଖ ଜଣାନ୍ତି ମାତ୍ର ସ୍ବେଚ୍ଛାଚାରୀ ନବୀନ ସରକାର ନିଜ ଅହଂକାରରେ ଅଟଳ ଅଛନ୍ତି । କଂଗ୍ରେସ ଦଳ ଏହାକୁ ବରଦାସ୍ତ କରିବ ନାହିଁ ଆନ୍ଦୋଳନ ଜାରି ରହିବ ।

ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ ସାରା ରାଜ୍ୟରୁ ସଂଗୃହିତ ତୁଳସୀ ଓ ସଜ ତୁଳସୀ ନୈବେଦ୍ୟ ଭାବରେ ମହାପ୍ରଭୁଙ୍କ ପାଖରେ ସମର୍ପିତ ହେବ । କଂଗ୍ରେସ ଓ ଭକ୍ତଙ୍କର ଦାବି ପ୍ରତି ସରକାର କାନଆଖୁ ବନ୍ଦ କରିଦେଇଛନ୍ତି । କଂଗ୍ରେସର ସଂକୀର୍ତନ ସତ୍ୟାଗ୍ରହ ଯୋଗୁଁ ଓଡ଼ିଶା ସରକାର ରତ୍ନଭଣ୍ଡାର ଲେଜର ସ୍କାନିଂ କରିବାପାଇଁ କହିଛନ୍ତି | ମାତ୍ର କଂଗ୍ରେସର ଦାବି ରତ୍ନ ଭଣ୍ଡାରର ଭିତର ଦ୍ୱାରକୁ ଖୋଲଯାଇ ଗଣତି, ମଣତି ଓ ମରାମତି କରାଯାଉ । ତୁଳସୀ ଯାତ୍ରା ଓଡ଼ିଶାର ପୁରପଲ୍ଲୀରେ ଥିବା ଭକ୍ତଙ୍କ ଭାବାବେଗ ସହ ଜଡ଼ିତ ହେବ । ଏହି ଯାତ୍ରା ଭକ୍ତ ଯାଗରଣ ପାଇଁ ଅଭିପ୍ରେତ । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଜାନୁଆରୀ ୧୭ ତାରିଖରେ କରିବେ । ଏହି ପ୍ରକଳ୍ପରେ କ’ଣ କ’ଣ କାର୍ଯ୍ୟ ହୋଇଛି କେଉଁ ପ୍ରକାରର କାର୍ଯ୍ୟ ହୋଇଛି ଏଥିରେ କେତେ ଅର୍ଥ ବିନିଯୋଗ ହୋଇଛି, କାର୍ଯ୍ୟର ଦାୟୀତ୍ଵ ନିର୍ବାହ କିଏ କରିଛନ୍ତି ଏହାର ସଂପୂର୍ଣ୍ଣ ବିବରଣୀ ଶ୍ଵେତପତ୍ର ମାଧ୍ୟମରେ ପ୍ରକଳ୍ପର ଲୋକର୍ପଣ ଦିବସରେ ପ୍ରକାଶ କରିବାକୁ କଂଗ୍ରେସ ଦାବି କରୁଛି । ବାଙ୍ଗାଲୋର ଓ ରାଜମନ୍ଦିର ପ୍ରଭୃତି ସ୍ଥାନରୁ ଅଧିକ ମୂଲ୍ୟର ଗଛ ଆଣି ଏଠାରେ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମର ସ୍ବଚ୍ଛତା ଉପରେ ମଧ୍ୟ ଶ୍ରୀ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି । ଯେହେତୁ ମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମର ଘଟଣାବଳୀ ମାଦଳା ପାଞ୍ଜିରେ ଉଲ୍ଲେଖ କରାଯାଏ | ତେଣୁ ଏହିସବୁ ଘଟଣା ମାଦଳା ପାଞ୍ଜିରେ ଉଲ୍ଲେଖ ରହୁ ଯାହାଦ୍ଵାରା ଏହାକୁ ପରବର୍ତୀ ପୀଢ଼ି ଜାଣିପାରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ପିସିସି ଇସ୍ତାହାର କମିଟିର ଅଧ୍ଯକ୍ଷ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ କଂଗ୍ରେସର ଦାବି ପୂରଣ ନହେବାଯାଏ ଧାରାବାହିକ ଭାବରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ । ତୁଳସୀ ଯାତ୍ରା ଏହି ଆନ୍ଦୋଳନର ଏକ ପର୍ଯ୍ୟାୟ । ଦୁଇଟି ପର୍ଯ୍ୟାୟର ଆମର ଆନ୍ଦୋଳନ ସରିଛି । ଗାଁରୁ ପୁରୀ ପର୍ଯ୍ୟନ୍ତ ଓଡ଼ିଶାର ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ସ୍ବରକୁ କଂଗ୍ରେସ ଉତୋଳନ କରୁଛି ।

Leave A Reply

Your email address will not be published.