ଖାଇଖୁଇ ହାତ ଧୋଇ ବସିଛନ୍ତି ଫରେଷ୍ଟର ବାବୁ !!!

0

କାମ ନସାରି ଟଙ୍କା ଖାଇଗଲେ : ହେଲେ ସବୁ ଜାଣି ନିରବ ବିଭାଗୀୟ ଅଧିକାରୀ

ବରଗଡ :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ରେ ରହିଛି ଦୁଇ ଗୋଟି ଫରେଷ୍ଟ ରେଞ୍ଜ ଅଫିସ । ପଦ୍ମପୁର ରୁ ନୂଆପଡା କୁ ସଂଯୋଗ କରୁଥିବା ରାସ୍ତାରେ ବାମ ପଟକୁ ଅର୍ଥାତ ଗନ୍ଧମାର୍ଦ୍ଦନ ପର୍ବତ ପାର୍ଶ୍ୱ ନୃସିଂହନାଥ ରେଞ୍ଜ ଅନ୍ତର୍ଗତ ହୋଇଥିବା ବେଳେ , ଡାହାଣ ପଟ ର ଏରିଆ ପାଇକମାଲ ରେଞ୍ଜ ଅଧିନ ରେ ଆସୁଛି । ପାଇକମାଲ ରେଞ୍ଜ ରେ ପାଇକମାଲ ବ୍ଲକ ଓ ଝାରବନ୍ଧ ବ୍ଲକ ର ଅନେକ ଅଂଚଳ ରହିଛି ।
ଗତ କିଛି ଦିନ ହେଲା ଜଙ୍ଗଲ ବିଭାଗ ର ପାଇକମାଲ ରେଞ୍ଜ ଚର୍ଚ୍ଚା ରେ ରହିଆସୁଛି । ଗତ କିଛି ଦିନ ତଳେ ଟେମରି ଫରେଷ୍ଟ ବିଟ ଅଞ୍ଚଳ ରୁ କ୍ରମାଗତ ଭାବରେ ହେଉଥିବା ଗଛ ଚୋରା ଚାଲାଣ ଉପରେ ଖବର ପ୍ରକାଶିତ ହେବା ପରେ ବିଭାଗ ତରଫରୁ ମାତ୍ର ଫରେଷ୍ଟ ଗାର୍ଡ କୁ ଭଟଲି ରେଞ୍ଜ କୁ ବଦଳି କରି ବିଭାଗ ର ବଡ଼ ବାବୁ ମାନେ ନିଜର ଦାଇତ୍ୱ ସାରିଦେଇଥିଲେ । ଯାହାକି ବିଭାଗୀୟ ବାବୁ ମାନଙ୍କ କାର୍ୟ୍ଯ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଆଜି ଅନ୍ୟ ଏକ ପ୍ରସଙ୍ଗ , ଏହା ସମସ୍ତେ ଜାଣନ୍ତି ଯେ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହେଉଛି , ବନୀକରଣ ଓ ବନମହୋତ୍ସଵ ନାମରେ କେବଳ ଫୋଟୋସୁଟ ଚାଲିଛି । ଜଙ୍ଗଲ ରକ୍ଷଣାବେକ୍ଷଣ ନାମରେ ସିଂହଭାଗ ଅର୍ଥ ଆତ୍ମସାତ ହେଉଛି ଏହା ସହିତ ଏବେ ବିଭାଗ ଦ୍ଵାରା କରାଯାଇଥିବା ନିର୍ମାଣ କାର୍ଯ୍ୟରେ ମଧ୍ୟ ବଡ଼ ଧରଣର ଘୋଟଲା ନଜର କୁ ଆସୁଛି । କଥାଟି ହେଲା ପାଇକମାଲ ରେଞ୍ଜ , ଝାରବନ୍ଧ ଫରେଷ୍ଟର ଙ୍କର ଅଧୀନରେ ଥିବା ଡଭା ଫରେଷ୍ଟ ଗାର୍ଡ ଙ୍କର ବିଟ କ୍ୱାଟର ର ପାଚେରି ନିର୍ମାଣ । ଅତି ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା ଯେ ପ୍ରାୟ ସାଢ଼େ ଚାରି ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ପାଚେରୀ ର କାମ କାଗଜପତ୍ର ରେ ଗତ ମାର୍ଚ୍ଚ ମାସରେ ସମ୍ପୂର୍ଣ୍ଣ ହୋଇ ସାରିଛି ଓ ଏହି ବାବଦରେ ସମସ୍ତ ଟଙ୍କା ମଧ୍ୟ ବିଭାଗ ତରଫରୁ ପୈଠ କରାଯାଇ ସାରିଛି , କିନ୍ତୁ ବାସ୍ତବରେ ପାଚେରୀ କାମ ଅର୍ଦ୍ଧାଧିକ ବାକି ରହିଛି । ଶୁଣି ଆଶ୍ଚର୍ଯ୍ୟ ଲାଗିଲା । ଡଭା ଯାଇ ଦେଖିଲା ବେଳକୁ ଜଣା ପଡିଲା ଯେ ଖବର ଟି ସତ । ଜଣା ପଡିଲା ଯେ ଏହି କାମର ଦାଇତ୍ୱ ଝାରବନ୍ଧ ଫରେଷ୍ଟର ଶ୍ରୀ ଗିରିରାଜ କୁମ୍ଭାର ଙ୍କୁ ପ୍ରଦାନ କରା ଯାଇଥିଲା ଓ ଶ୍ରୀ କୁମ୍ଭାର ଅଧାରୁ କମ କାମ କରି ସମ୍ପୂର୍ଣ୍ଣ ପେମେଂଟ ଉଠାଇ ନେଇ ଥିଲେ । ପେମେଂଟ ପାଇବା ପରେ ବାବୁ ଗିରିରାଜ ଆଉ କାମ କରିବା ପାଇଁ ବା କାମ ସାରିବା ପାଇଁ ଉଚିତ ମଧ୍ୟ ମନେ କଲେ ନାହିଁ । ଆଶ୍ଚର୍ଯ ବିଷୟ ହେଉଛି ଯେ ଦୀର୍ଘ ପ୍ରାୟ ଆଠ ମାସ ରୁ ଉର୍ଦ୍ବ ହେଇ ଗଲାଣି କାମ ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି ତଥା ଏହାର ପେମେଂଟ ମଧ୍ୟ ସରି ଯାଇଛି ହେଲେ ବିଭାଗୀୟ ବଡ ବାବୁ ମାନେ ସବୁ ଜାଣି ଚୁପ ରହିଛନ୍ତି । ରେଞ୍ଜର ଙ୍କର ଠାରୁ ଆରମ୍ଭ କରି ଡି ଏଫ ଓ ପର୍ଯନ୍ତ , ସମସ୍ତେ ଜଣିଛନ୍ତି , ହେଲେ କେହି ଏହି ବାବଦରେ ଗିରିରାଜ ଙ୍କ ଉପରେ କୋଣସି ପଦକ୍ଷେପ ଗ୍ରହଣ ନ କରିବା ଜନସାଧାରଣ ଙ୍କୁ ଆଶ୍ଚର୍ୟ୍ଯ ଚକିତ କରୁଛି । ମୁଖ୍ୟ କଥା ହେଲା ଏହି ବିଟ କ୍ୱାଟର ରେ ଅନେକ ପ୍ରକାର ର କଟା ଗଛ ଜବତ କରି ରଖା ଯାଇଛି ପାଚେରୀ କିମ୍ବା ଗେଟ ନଥିବା କାରଣ ରୁ ଏହା ସମ୍ପୁର୍ଣ୍ଣ ଭାବରେ ଅସୁରକ୍ଷିତ । ଅନ୍ୟପଟେ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଙ୍ଗଲ ଜାତ ଦ୍ରବ୍ୟ କିମ୍ବା ଜାଳେଣି କାଠ ଏମିତି କି ନିଜ ଜମିରେ ରହିଥିବା କାଠ ଅଣୁଥିବା ବ୍ୟକ୍ତି ଙ୍କୁ ଜଙ୍ଗଲ ବିଭାଗ ର କର୍ମଚାରୀ ଓ ବାବୁ ମାନେ ଧରି ନିୟମ କାନୁନ ନାମରେ ନାନା ପ୍ରକାର ହଇରାଣ ହରକତ କରୁଥିବା ବେଳେ ନିଜର ଜଣେ ସର୍ବଗିଲା ଅଧିକାରୀ ବାବଦରେ ସବୁ ଜାଣି ଶୁଣି, ପ୍ରତ୍ୟକ୍ଷରେ ସମସ୍ତ ପ୍ରମାଣ ଥାଇ ସୁଦ୍ଧା କୋଣସି ପଦକ୍ଷେପ ଗ୍ରହଣ ନ କରିବା ଗିରିରାଜ ବାବୁ ଙ୍କ ଉପରେ ରହିଥିବା ବଡ ବାବୁ ମାନଙ୍କ ମାନସିକତା ଓ କାର୍ଯ୍ୟଦକ୍ଷତା ଉପରେ ସନ୍ଦେହ ସୃଷ୍ଟି କରୁଛି। ନିଜ କାର୍ଯରେ ଅବହେଳା ଓ ଆର୍ଥିକ ଅନିୟମିତତା ପ୍ରଦର୍ଶନ କରିଥିବା ବାବୁ ଙ୍କର ଉପରେ ବିଭାଗ ଦୃଢ଼ ପଦକ୍ଷେପ ଗ୍ରହଣ କରିବ ନା ପୁଣି ଟେମରି ଫରେଷ୍ଟ ଗାର୍ଡ ଙ୍କର ଭଳି କେବଳ ଅନ୍ୟତ୍ର ବଦଳି କରି କାମ ସାରିଦେଵ , ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.