ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଉ ମାତ୍ର ଅଳ୍ପ କେଇଟା ଦିନ ପରି କୃଷକ ନିଜ ଜମିରୁ ଅମଳ କରିଥାଆନ୍ତା ସୁନାର ଫସଲ I କିନ୍ତୁ ବିଚରା ଚାଷୀର ସବୁ ସ୍ଵପ୍ନ ଆଜି ସ୍ଵପ୍ନରେ ରହି ଯାଇଛି I ବର୍ତ୍ତମାନ ବର୍ଷା ଅଭାବରୁ ଧାନ ଫସଲର ସ୍ଥିତି ଯାହା, ନିଜ ପରିବାରର ବର୍ଷକର ଖାଦ୍ୟ ପାଇଁ ନିଅଣ୍ଟ I ଏଭଳି ପରିସ୍ଥିତିରେ ଚାଷୀ କିପରି ସାର,ବିହନ ଏବଂ ମୂଲିଆ ଖର୍ଚ୍ଚ ପୂରଣ କରିବ, ସେନେଇ ଦୁଶ୍ଚିନ୍ତା ଭିତରେ ଦିନ କାଟୁଛନ୍ତି ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଧାନ ଚାଷୀ ମାନେ I ଚଳିତ ବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ହିଁ ଅଭାବୀ ବର୍ଷା ଯୋଗୁଁ ବେଲଗୁଣ୍ଠା ବ୍ଳକ୍ ର ଧାନ ଚାଷୀମାନେ ବିଚଳିତ ହୋଇପଡ଼ିଥିଲେ I ସେହି ସମୟରେ କଷ୍ଟେମଷ୍ଟେ ଧାନ ରୋଇଥିଲେ ଥିଲେ ମଧ୍ୟ ଗତ ଅଗଷ୍ଟ ମାସରୁ ବର୍ଷା ସମ୍ପୂର୍ଣ୍ଣରୂପେ ଉଭାନ ହୋଇଯାଇଥିବା ଯୋଗୁଁ ଚାଷୀମାନେ ହତାଶ ହୋଇପଡିଛନ୍ତି I ବେଲଗୁଣ୍ଠା ବ୍ଳକ୍ ର ଅଧିକାଂଶ ଜମିରେ ଜଳ ସେଚନର ସୁବିଧା ନଥିବା ବେଳେ ବର୍ଷା ଅଭାବ ଯୋଗୁଁ ବିଭିନ୍ନ ଜଳ ଭଣ୍ଡାର ମଧ୍ୟ ଖାଲି ପଡ଼ିଥିବା ଯୋଗୁଁ ଧାନ କ୍ଷେତ ଗୁଡିକ ଜଳ ସେଚନରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛି I ଫଳରେ ବ୍ଳକ୍ ର ଅଧିକାଂଶ ପଂଚାୟତରେ ଧାନ ଫସଲ ସମ୍ପୂର୍ଣ୍ଣ ଶୁଖି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି I କେବଳ ଧାନ ଫସଲ ନୁହେଁ, ବର୍ଷା ନହେବା ଯୋଗୁଁ ପନିପରିବା ଫସଲ ଉପରେ ମଧ୍ୟ ଏହାର କୁପ୍ରଭାବ ଦେଖିବାକୁ ମିଲିଛି I ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମର ନିଜ ନଷ୍ଟ ହୋଇଯାଇଥିବା ଫସଲକୁ ଦେଖି କାନ୍ଦୁଥିବା ଦେଖିବାକୁ ମିଳିଛି I ଏପରିକି କିଛି ଚାଷୀ ପାଖ ନାଳ ଝରଣାରୁ ନିଜ ଜମି ରେ ପାଣି ମଡାଇବା ପାଇଁ ରାତି ଅଧରେ ମଧ୍ୟ ଜମିକୁ ଯାଇ ମୃତ୍ୟୁ ସହ ଲଢେଇ କରୁ୍ଥିବା ଦେଖିବାକୁ ମିଳିଛି I ପ୍ରକାଶ ଥାଉକି ବେଲଗୁଣ୍ଠା ବ୍ଳକ୍ ପାଲକଷଣ୍ଢା ଗ୍ରାମର ଶିବରାମ ସ୍ଵାଇଁ ନାମକ ଜନୈକ ଧାନ ଚାଷୀ ସନ୍ଧ୍ୟା ସମୟରେ ନିଜ ଜମିକୁ ପାଖ ନାଳରୁ ପାଣି ମଡାଇବା ପାଇଁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି I ଏପଟେ ପାଣି ଅଭାବରୁ ଧାନ ଫସଲ ନଷ୍ଟ ସାଙ୍ଗକୁ ଆରପଟେ ନିଜ ଚିକିତ୍ସା ପାଇଁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ କରିସାରିଥିବା ଯୋଗୁଁ ଶିବରାମ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି I କେବଳ ଶିବରାମ ନୁହେଁ ବେଲଗୁଣ୍ଠା ବ୍ଲକ୍ ର ପ୍ରାୟ ନବେ ପ୍ରତିଶତ ଚାଷୀଙ୍କର ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି I କିନ୍ତୁ ଚାଷୀମାନଙ୍କର ଏହି ଦୂର୍ଦ୍ଦଶା ସମୟରେ ସ୍ଥାନୀୟ ପ୍ରଶାସନ ଗଭୀର ନିଦରେ ଶୋଇ ରହିଥିବା ଦେଖିବାକୁ ମିଳିଛି I ତେଣୁ ତୁରନ୍ତ ବେଲଗୁଣ୍ଠା ବ୍ଲକ୍ କୁ ଏକ ମରୁଡି ପ୍ରଭାବିତ ବ୍ଳକ୍ ଭାବେ ଘୋଷଣା କରି ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି I
Sign in
Sign in
Recover your password.
A password will be e-mailed to you.