
ଭୁବନେଶ୍ୱର : ସଂଗୀତର ସାତସୁରରେ ଲୋକଙ୍କୁ ପରସ୍ପର ସହିତ ବାନ୍ଧି ରଖିବାର ପରମ୍ପରା କାହିଁ କେଉଁ ଆବହମାନ କାଳରୁ ଆରମ୍ଭ ହୋଇଛି ଆମ ସଂସ୍କୃତିରେ । ଯେଉଁଠି ଶବ୍ଦରେ ଭାବନାକୁ ପ୍ରକାଶ କରିହୁଏନାହିଁ ସେଠାରେ ସଂଗୀତ ଜରିଆରେ ପରସ୍ପର ମଧ୍ୟରେ ଥିବା ବ୍ୟବଧାନକୁ କମ କରିବା ତଥା ବୁଝାମଣା ସୃଷ୍ଟି କରିବା ସହଜ ହୋଇ ପାରିଥାଏ । ଓଡ଼ିଶାକୁ ଏହାର ମୌଳିକତା ତଥା ସଂସ୍କୃତି ସହିତ ଯୋଡ଼ି ରଖିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ୍ “ଆମ ମିଲେଟ୍ସ ମିଶନ୍” ଶୀର୍ଷକରେ ଏକ ନୂତନ ସଂଗୀତର ସଂରଚନା କରିଛି – ଯାହା ଆକର୍ଷଣୀୟ ସଂଗୀତ ଭିଡ଼ିଓ ଜରିଆରେ ଓଡ଼ିଶା ମିଲେଟ୍ସ ମିଶନର ଉଦ୍ଦେଶ୍ୟକୁ ପ୍ରତିଫଳିତ କରିବା ସହିତ ଜନସାଧାରଣଙ୍କୁ ମିଲେଟ୍ସ ବ୍ୟବହାର କରି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ତଥା ଆର୍ଥିକ ଅବିବୃଦ୍ଧି ଲାଗି ପ୍ରୋତ୍ସାହିତ କରିବାରେ ସହାୟକ ହେବ ।
“ମିଲେଟ ଦିବସ” ବିଷୟରେ ଘୋଷଣା କରିବା ନିମନ୍ତେ ୨୦୨୩ ମସିହା ନଭେମ୍ବର ୧ ତାରିଖରେ କୃଷି ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଓଡ଼ିଶାର ସୁଖ୍ୟାତ ଗୀତିକାର ବାପୁ ଗୋସ୍ୱାମୀଙ୍କ ଦ୍ୱାରା ରଚିତ “ଆମ ମିଲେଟ୍ସ ମିଶନ୍” ସଂଗୀତକୁ ଓଡ଼ିଶାର ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏହି ଅବସରରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପତାପ ସ୍ୱାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ି, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ମିଲେଟ୍ସ ବ୍ୟବହାରର ଗୁରୁତ୍ୱ ତଥା ମିଲେଟ କିପରି ରାଜ୍ୟର କୃଷିକୁ ଏକ ନୂତନ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ତାହା ଏହି ଗୀତରେ ବର୍ଣ୍ଣିତ ହୋଇଛି । ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ତଥା ସ୍ୱଳ୍ପ ଖର୍ଚ୍ଚରେ ବଢ଼ି ପାରୁଥିବା ମିଲେଟ୍ସକୁ ରାଜ୍ୟ ସରକାର ଯେପରି ପ୍ରୋତ୍ସାହିତ କରୁଛନ୍ତି ତାହା ଗୀତରେ ଉଲ୍ଲେଖ ରହିଛି ।
ଏହି ମିଲେଟ୍ସ ସଂଗୀତରେ ଅନୁରାଗ, ସଞ୍ଜୁ ଏବଂ ହେମ୍ବ୍ରମ୍ ପ୍ରମୁଖ କଣ୍ଠଦାନ କରିଥିବା ବେଳେ ଏହାକୁ ଓଡ଼ିଆ, ସମ୍ବଲପୁରୀ, ସାନ୍ତାଳୀ ଏବଂ ଦେଶାଇ ଆଦି ୪ଟି ଭାଷାରେ ରେକର୍ଡ଼ କରାଯାଇଛି । ଓଡ଼ିଶାରେ ଯେ ଏକ ସାଂସ୍କୃତିକ ପରମ୍ପରାଗତ ଭାବାବେଗ ରହିଛି ତାହା ଏହି ଗୀତରେ ପରିପୁଷ୍ଟ ହୋଇଛି । ଗୀତଟି ଏଭଳି ସୁମଧୁର ସ୍ୱରରେ ଅନୁବନ୍ଧିତ ହୋଇଛି ଯେ, ଶ୍ରୋତାମାନେ ସହଜରେ ଏହାକୁ ସେମାନଙ୍କ ମନରୁ ପାସୋରି ପାରିବେ ନାହିଁ ।
ଲୋକମାନଙ୍କ ମଧ୍ୟରେ ମିଲେଟ୍ସରେ ଥିବା ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ତଥା ଏହା କିପରି କୃଷକଙ୍କ ପାଇଁ ଆର୍ଥିକ ଲାଭଦାୟକ ସେହି ସଚେତନା ସୃଷ୍ଟି କରିବା ଲାଗି ଓଡ଼ିଶା ମିଲେଟ୍ସ ମିଶନ ଯେଉଁ ଅନବରତ ପ୍ରଚେଷ୍ଟା ଜାରି ରଖିଛି ଉକ୍ତ ମ୍ୟୁଜିକାଲ ଭିଡ଼ିଓ ତାହାର ସଠିକ ବାର୍ତ୍ତା ପ୍ରଚାର କରୁଛି । ଏହି ସଂଗୀତ ଜରିଆରେ “ଓଡ଼ିଶା ମିଲେଟ୍ସ ମିଶନ” ଏହାର ଆଭିମୁଖ୍ୟକୁ ଲୋକମାନଙ୍କ ନିକଟରେ ଏକ ଅଧିକ ସୁଗମ ଫର୍ମାଟରେ ପହଂଚାଇବାର ସଫଳ ପ୍ରୟାସ କରିଛି । ସଂଗୀତ ହେଉଛି ଏକ ସାର୍ବଜନୀନ ଭାଷା । ଏହି ଆଧାରରେ ମିଲେଟ୍ସ ସଂଗୀତ କେବଳ ଓଡ଼ିଶାର ଲୋକମାନଙ୍କୁ ମିଲେଟ ସହିତ ସଂଯୁକ୍ତ କରିବ ନାହିଁ; ଅଧିକନ୍ତୁ କ୍ଷୁଧା, ପୁଷ୍ଟିହୀନତା ଭଳି ବିଶ୍ୱ ସମସ୍ୟା ଦିଗରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବାରେ ଏହା ଏକ ଉତ୍ତମ ପ୍ଲାଟଫର୍ମ ହୋଇପାରିବ ।
Sign in
Sign in
Recover your password.
A password will be e-mailed to you.