କିର୍ମିରାଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୬

10

ଝାରସୁଗୁଡ଼ା: ଆଜି କିର୍ମିରା ବ୍ଲକଠାରେ ‘ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମତ୍ସ୍ୟଚାଷ ଓ ପଶୁପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ଏହି ଅବସରରେ ଉପସ୍ଥିତ ଚାଷୀମାନଙ୍କୁ ସମ୍ବୋଧିତ କରି ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦକ୍ଷ ନେତୃତ୍ୱରେ ରାଜ୍ୟ ସରକାର ମତ୍ସ୍ୟଚାଷୀ ଓ ପଶୁପାଳକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ସାମୁଦ୍ରିକ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା, କାମଧେନୁ ଯୋଜନା, ରାଷ୍ଟ୍ରୀୟ ଗୋକୁଳ ମିଶନ ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଭଳି ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ଏହିସବୁ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଆମ ଅଞ୍ଚଳରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନର ରହିଥିବା ଅପାର ସମ୍ଭାବନାକୁ ସଫଳତାରେ ପରିଣତ କରିବା ସହ ଚାଷୀ ଭାଇ ଓ ଭଉଣୀମାନେ ସରକାରୀ ଯୋଜନାର ଭରପୂର ସୁଯୋଗ ନେଇ ଆତ୍ମନିର୍ଭରଶୀଳ ହେବାକୁ ସେ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ଲକର ଅଗ୍ରଣୀ ତଥା ସଫଳ ମତ୍ସ୍ୟଚାଷୀ ଏବଂ ଗୋପାଳକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଆର୍ଥିକ ପ୍ରୋତ୍ସାହନ ରାଶି ଓ ନୂତନ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ କିର୍ମିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିନାଶ ଲାକ୍ରା, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଭଗବାନ ନାଏକ, ଜିଲ୍ଲା ପରିଷଦ ସଭ୍ୟା ରୀତା ବାଘ, କିର୍ମିରା ସରପଞ୍ଚ ସନ୍ତୋଷିନୀ ପଟେଲ ଏବଂ ଭୀମଯୋର ସରପଞ୍ଚ ମନ ବାଘ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶର୍ମା, ଉଦ୍ଧବ ସିଂ ନାଏକ, ଝସକେତନ ପ୍ରଧାନ, ଯାମିନୀକାନ୍ତ ନାଏକ, ପୱନ ଶର୍ମା, ସନ୍ଦୀପ ପଟେଲ ଏବଂ ବାବୁଲାଲ କିଶାନଙ୍କ ସମେତ ବ୍ଲକର ବହୁ ଚାଷୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.