ଝାରସୁଗୁଡ଼ା, ୧୪ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପରିଷଦ ଆନୁକୂଲ୍ୟରେ ଆଜି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଠାରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)’ ଅନ୍ତର୍ଗତ ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କ ସହ ବିଧାୟକ ଶ୍ରୀ ତ୍ରିପାଠୀ ଭାବ ବିନିମୟ କରିବା ସହ ଏହି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦିଗରେ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ସମାଜର ପ୍ରତ୍ୟେକ ଗରିବ ଓ ଅସହାୟ ପରିବାରକୁ ସୁରକ୍ଷିତ ପକ୍କା ଘର ଯୋଗାଇଦେବା ସହ ସେମାନଙ୍କ ଜୀବନରେ ସମ୍ମାନ, ସୁରକ୍ଷା ଓ ନୂତନ ଆଶାର ସଞ୍ଚାର କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଜନହିତକର ପଦକ୍ଷେପ ଗ୍ରାମୀଣ ଓଡ଼ିଶାର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ପ୍ରତ୍ୟେକ ଯୋଗ୍ୟ ପରିବାରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ । ସମସ୍ତଙ୍କ ପାଇଁ ପକ୍କା ଘର, ସମ୍ମାନଜନକ ଜୀବନ ଓ ବିକଶିତ ଗ୍ରାମୀଣ ଓଡ଼ିଶା ଗଠନ ଆମର ସଂକଳ୍ପ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଯୋଜନାର ଲକ୍ଷ୍ୟ ବଣ୍ଟନ କରାଯାଇଥିଲା। ଆଜିର ଏହି ଉତ୍ସବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ମାନ୍ୟବର ବରଗଡ଼ ସାଂସଦଙ୍କ ପ୍ରତିନିଧି ଶ୍ଳୋକ ଶର୍ମା ଏବଂ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିସହ ବହୁ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ହିତାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।