୨୦୨୩ ଅକ୍ଟୋବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶାର ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହ ; ୧୮୫୩.୯୮ କୋଟି ଟଙ୍କା ଆଦାୟ
ଭୁବନେଶ୍ୱର: ୨୦୨୩ ମସିହା ଅକ୍ଟୋବର ମାସରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ବାବଦକୁ ଓଡିଶା ୧୮୫୩.୯୮ କୋଟି ଟଙ୍କା ଆଦାୟ କରି ଚତୁର୍ଥ ସର୍ବାଧିକ ସର୍ବକାଳୀନ ସଂଗ୍ରହରାଶି ହାସଲ କରିଛି । ଅନ୍ୟ ପକ୍ଷରେ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା କ୍ଷେତ୍ରରେ ଚଳିତ ବର୍ଷ ଆର୍ଥିକ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ମାସିକ ହାରାହାରି ଟିକସ ସଂଗ୍ରହ ୧୭୪୪.୩୦ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ରାଶି ଥିଲା ୧୪୭୫.୬୧ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୮.୨୧ ପ୍ରତିଶତ ।
ଏଥି ମଧ୍ୟରୁ ୨୦୨୩ ମସିହା ଅକ୍ଟୋବର ମାସରେ ରାଜ୍ୟ ଜିଏସଟି ସଂଗ୍ରହ ୧୩୦୬.୪୭ କୋଟି ଟଙ୍କା ରହିଥିବାବେଳେ ୨୦୨୨ ମସିହା ଅକ୍ଟୋବର ମାସରେ ୧୦୫୮.୩୮ କୋଟି ଟଙ୍କା ଥିଲା । ଫଳରେ ଏ କ୍ଷେତ୍ରରେ ୨୩.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି ।
ରାଜ୍ୟ ବାଣିଜ୍ୟକର ବିଭାଗ ଦ୍ବାରା ପରିଚାଳିତ ହେଉଥିବା ସମସ୍ତ ଟିକସ ବ୍ୟବସ୍ଥା ଯଥା : ଜିଏସଟି, ଭାଟ, ପ୍ରବେଶ ଶୁଳ୍କ ଓ ବୃଭିଗତ ଟିକସ ଏବଂ ରାଜ୍ୟ ଜିଏସଟି ଓ ସମନ୍ବିତ ଜିଏସଟି ଫଇସଲା ଅଧୀନରେ ୨୦୨୩ ମସିହା ଅକ୍ଟୋବର ମାସରେ ୨୮୩୧.୧୭ କୋଟି ଟଙ୍କା ସଂଗୃହିତ ହୋଇଛି । ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ସମସ୍ତ ଟିକସ ବ୍ୟବସ୍ଥା ଅଧୀନରେ ମାସିକ ହାରାହାରି ଟିକସ ସଂଗ୍ରହ ୨୬୭୭.୯୮ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଦଧ୍ଯରେ ମାସିକ ହାରାହାରି ଟିକସ ସଂଗ୍ରହ ୨୩୭୪.୪୯ କୋଟି ଟଙ୍କା ଥିଲା । ଫଳରେ ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୧୨.୭୮ ପ୍ରତିଶତ I
ମୋଟ ଜିଏସଟି (CGST+IGST+OGST+CESS) ବାବଦକୁ ଚଳିତ ବର୍ଷ ଅକ୍ଟୋବର ମାସରେ ୪୧୭୬.୯୪ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ଗତ ବର୍ଷ ଅକ୍ଟୋବର ମାସରେ ଏହା ଥିଲା ୩୭୬୯.୪୪ କୋଟି ଟଙ୍କା । ଫଳରେ ଏହି ସଂଗ୍ରହରେ ୧୦.୮୧ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ସାମଗ୍ରିକ ମୋଟ ଜିଏସଟି ସଂଗ୍ରହ ପରିମାଣ ୩୦୮୯୩.୧୭ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୧୦.୭୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ।
୨୦୨୩ ମସିହା ଅକ୍ଟୋବର ମାସରେ ୨୧.୧୯ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ଅକ୍ଟୋବର ମାସରେ ୧୬.୬୫ ଲକ୍ଷ ଇ-ୱେବିଲ ନିର୍ଗମନ କରଯାଇଥିଲା । ଅର୍ଥନୈତିକ କାର୍ଯ୍ୟକଳାପରେ ହୋଇଥିବା ଅଗ୍ରଗତିକୁ ଏହା ସୂଚିତ କରେ ।